ମାର୍ଚ୍ଚ୧୫ରୁ ୨୪ ପର୍ଯ୍ୟନ୍ତ ଚାଲିବ ବୈଶାଖୀ ମେଳା
କଟକ : ଉପର ବାଲିଯାତ୍ରା ପଡିଆରେ ଆୟୋଜିତ ହେବାକୁଥିବା ୧୬ତମ ବୈଶାଖୀ ବାଣିଜ୍ୟମେଳା ମାର୍ଚ୍ଚ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ। ଏଥର ସର୍ବମୋଟ ୪୯୦ଟି ଷ୍ଟଲ୍ ପଡୁଥିଲା ବେଳେ ସେଥିରୁ ୯୦ଟି ରହିବ କର୍ପୋରେଟ୍ ଷ୍ଟଲ୍। କ୍ଷୁଦ୍ର, ମଧ୍ୟମ ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଭଳି ବିଭିନ୍ନ ବର୍ଗର ବ୍ୟବସାୟୀ ଏଥିରେ ସାମିଲ ହେବେ।
ଗଲାବର୍ଷ ଭଳି ଏଥିର ମଧ୍ୟ ମେଳାରେ ଆକର୍ଷଣର କେନ୍ଦ୍ର ହେବ ହରିୟାଣା ହ୍ୟାଣ୍ଡଲୁମ୍ର ପାଭିଲିୟନ୍ ଓ ଫୁଡ୍ କୋର୍ଟ। ଏଥିସହିତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜଣେ ଥାଲାସେମିଆ ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ ୨୫ହଜାର ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯିବ। ମେଳାକୁ ଆସୁଥିବା ଛୋଟପିଲାଙ୍କ ଆକର୍ଷଣ ପାଇଁ ଏଥର ଅତ୍ୟାଧୁନିକ ଦୋଳିର ବ୍ୟବସ୍ଥା ହୋଇଛି। ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ‘ରୁଚି ବୈଶାଖୀ ସମ୍ମାନ-୨୦୨୦’ ପ୍ରଦାନ କରାଯିବ।
ଭାରତର ବିଭିନ୍ନ ପ୍ରାନ୍ତ ପଶ୍ଚିମ ବଙ୍ଗଳା, ଗୁଜୁରାଟ, ଆସାମ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀ ଆଦି ଅଞ୍ଚଳରୁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ଧରି ଏହି ମେଳାକୁ ବେପାର ପାଇଁ ଆସୁଛନ୍ତି। ପୁଣି ହସ୍ତଶିଳ୍ପର ବିକ୍ରୟ ପାଇଁ ସ୍ୱତନ୍ତ୍ର ପାଭିଲିୟନ୍ ବ୍ୟବସ୍ଥା କରାଯାଇଛି। ଏଥିସହିତ ମେଳାକୁ ଆସୁଥିବା ଦେଖାଣାହାରିଙ୍କ ଖାଦ୍ୟପେୟ ନିମନ୍ତେ ଭୋଜନ ବ୍ୟବସ୍ଥାକୁ ମଧ୍ୟ ସଂପୂର୍ଣ୍ଣ ସ୍ୱତନ୍ତ୍ର କରାଯାଇଛି। ଏହି ‘ଫୁଡ କୋର୍ଟ’ରେ ୪୦ଟି ଖାଦ୍ୟଷ୍ଟଲ୍ ପଡିବ ଏବଂ ବାରିପଦାର ମୁଢି-ମାଂସ, ଚକୁଳି-ମାଂସ ଓ କଟକର ଦହିବରା ଆଳୁଦମ୍, କେନ୍ଦ୍ରାପଡାର ରସାବଳୀ ଆଦି ଦେଶୀ ଖାଦ୍ୟ ସାଙ୍ଗକୁ ବିରିୟାନୀ, ଚାଇନିଜ୍ ଭଳି ପରଦେଶୀ ଖାଦ୍ୟ ଏଠି ବିକ୍ରି ହେବ ବୋଲି କଟକ ବୈଶାଖୀ ବାଣିଜ୍ୟମେଳା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।