ଦ୍ୱିତୀୟ ଦିନପାଇଁ ଅମରନାଥ ଯାତ୍ରା ବନ୍ଦ

Straight to the Point

ଶ୍ରୀନଗର : ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗରଠାରେ ଜମ୍ମୁ-କାଶ୍ମୀରର ସରକାରୀ ଅଧିକାରୀ ମାନଙ୍କ ସହ ନିରାପତ୍ତା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଦୁଇଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ଶ୍ରୀ ସିଂହ ବୁଧବାର ସଂଧ୍ୟାରେ ଶ୍ରୀନଗରଠାରେ ପହଞ୍ଚିଥିଲେ। ଗତ ରାତିରେ ସେ ରାଜଭବନଠାରେ ରାଜ୍ୟପାଳ ଏନ୍‍.ଏନ୍‍. ଭୋରାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ନିରାପତ୍ତା ଓ ଆଇନ ଶୃଙ୍ଖଳା ପରିସ୍ଥିତି, ଅମରନାଥ ତୀର୍ଥଯାତ୍ରୀ ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା ହୋଇଛି। ସେ ମଧ୍ୟ ରାଜ୍ୟର ବିକାଶମୂଳକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଦେଇ ସମୀକ୍ଷା କରିଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରୀଶ୍ରୀ ସିଂହ, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‍ ଡୋଭାଲ୍‍ ଏବଂ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ପ୍ରମୁଖ ଅନେକ ବୈଠକରେ କାଶ୍ମୀରର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବିଶେଷ କରି ଆତଙ୍କବାଦର ଆହ୍ୱାନ, ସୀମା ପାର ଅନୁପ୍ରବେଶ ଓ ନିରାପତ୍ତା ବାହିନୀଗୁଡ଼ିକର ପ୍ରସ୍ତୁତି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଛନ୍ତି।
ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ସକାଳେ ଅମରନାଥ ପୀଠ ଦର୍ଶନ କରିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ସେ ଅମରନାଥ ଗୁମ୍ଫା ପରିଦର୍ଶନ କରିପାରି ନାହାନ୍ତି। ଆଜିକୁ ମିଶାଇ କ୍ରମାଗତଭାବେ ଦ୍ୱିତୀୟ ଦିନପାଇଁ ଅମରନାଥ ଯାତ୍ରା ବନ୍ଦ ରହିଛି। ବର୍ଷା ଯୋଗୁଁ ଉଭୟ ପହଲ୍‍ଗାମ୍‍ ଓ ବଲ୍‍ତାଲ୍‍ ପଥରେ ରାସ୍ତା ଖରାପ, ଅତଡା ଖସିବା ଏବଂ ଯାତାୟାତ ଅନୁପଯୋଗୀ ଥିବାରୁ ଯାତ୍ରା ବନ୍ଦ ରହିଛି ବୋଲି ଜଣେ ବରିଷ୍ଠ ପୁଲିସ୍‍ ଅଫିସର କହିଛନ୍ତି। ବଲ୍‍ତାଲ୍‍-ସୋନ୍‍ମାର୍ଗ ପଥରେ ଭୂସ୍ଖଳନ ଯୋଗୁଁ ସଡ଼କର ବ୍ୟାପକ କ୍ଷତି ଘଟିଛି। ସେଠାରେ ରାସ୍ତା ମରାମତି କରାଯାଉଛି। ବଲ୍‍ତାଲ୍‍ ମୂଳ ଶିବିରଠାରୁ ପଞ୍ଜତରଣୀ ପର୍ଯ୍ୟନ୍ତ ହେଲିକପ୍ଟର ସେବା ଆରମ୍ଭ କରାଯାଇଥିବା ଜଣାପଡିଛି।

error: Thank You Keep Visiting