ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲେ ୭ଜଣ ସହପାଠୀ
ଆସାମ : ଆସାମର ତେଜ୍ପୁର ଅନ୍ତର୍ଗତ ବିଶ୍ୱନାଥ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜନୈକା ୧୨ ବର୍ଷ ବୟସ୍କା ନାବାଳିକା ଛାତ୍ରୀକୁ ସେହି ସ୍କୁଲର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ତା’ର ୭ ଜଣ ସହପାଠୀ ତାକୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ଏବେ ସମଗ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଜଘନ୍ୟ ଅପରାଧ ଘଟାଇବା ପରେ ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାରେ ସଂପୃକ୍ତ ୭ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି।ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଅଭିଯୁକ୍ତ ୭ ଜଣ ଛାତ୍ର ଶନିବାର ଦିନ ସେମାନଙ୍କର ପରୀକ୍ଷା ସରିଯିବା ପରେ ପାର୍ଟି କରିବା ବାହାନାରେ ସେମାନଙ୍କର ସହପାଠିନୀ ଥିବା ପୀଡ଼ିତା ନାବାଳିକା ସପ୍ତମ ଶ୍ରେଣୀ ଛାତ୍ରୀକୁ ଗୋହପୁର ଥାନା ଅନ୍ତର୍ଗତ ଚକ୍ଲା ଗ୍ରାମରେ ଥିବା ଏକ ନିକାଞ୍ଚନ ଘରକୁ ଡ଼ାକି ଆଣିଥିଲେ। ପରେ, ଅଭିଯୁକ୍ତ ୭ ଜଣ ଛାତ୍ର ମିଶି ସେହି ଘର ଭିତରେ ପୀଡ଼ିତା ନାବାଳିକା ସପ୍ତମ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ କରିଥିଲେ। ପରେ ଧରା ପଡ଼ିଯିବା ଭୟରେ ଅଭିଯୁକ୍ତ ଛାତ୍ରମାନେ ମିଳିତ ଭାବେ ତା’ର ତଣ୍ଟିକୁ ଚିପି ତାକୁ ହତ୍ୟା କରିଥିଲେ। ଏବଂ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବା ଉଦ୍ଦେଶ୍ୟରେ ମୃତା ନାବାଳିକାର ଶବକୁ ନେଇ ଅଦୂରରେ ଥିବା ଏକ ଗଛରେ ଝୁଲାଇଦେଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲେ। ହେଲେ, ସକାଳୁ ଗ୍ରାମବାସୀ ନାବାଳିକାର ଶବ ଗଛରେ ଝୁଲୁଥିବା ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସଂପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କାଳରେ ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ଗଣଦୁଷ୍କର୍ମ ପରେ ହତ୍ୟା ବୋଲି ଜଣାପଡ଼ିବା ପରେ ପୁଲିସ୍ ଖୋଳତାଡ କରି ଘଟଣାରେ ସଂପୃକ୍ତ ୭ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ହେବା ପରେ ଅଭିଯୁକ୍ତମାନେ ପୁଲିସ୍ ନିକଟରେ ସେମାନଙ୍କର ଦୋଷ ସ୍ୱୀକାର କରିଛନ୍ତି।