ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଛାଡିବା ନେଇ ପ୍ରତିକ୍ରିୟା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡ଼ିଆ ଛାଡିବା ଚର୍ଚ୍ଚାକୁ ନେଇବିଭିନ୍ନ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି | ସୋସିଆଲ ମିଡିଆର ବ୍ୟବହାର ନକରିବା ପାଇଁ ସେ ଚିନ୍ତା କରୁଛନ୍ତି ବୋଲି ସୋମବାର ପ୍ରଧାନମନ୍ତ୍ରୀ ଏକ ଟ୍ବିଟ୍ କରି କହିଥିଲେ । ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍କୁ ପରିତ୍ୟାଗ କରିବା ପାଇଁ ମୋଦୀ ବିଚାର କରୁଥିବାର କହିଥିଲେ | ମୋଦୀ ସୋସିଆଲ ମିଡିଆ ଛାଡ଼ିବା ବିଷୟ ଟ୍ବିଟରରେ ସୂଚନା ଦେବା ପରେ ଅନେକ ବ୍ୟକ୍ତି ଏ ନେଇ ଟ୍ବିଟରରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି। ଏହା ପରେ ଟ୍ୱିଟର ଫଲୋୟର୍ସମାନେ ମୋଦୀଙ୍କୁ ଟ୍ୱିଟର ନ ଛାଡିବାକୁ ଅନୁରୋଧ କରିଛନ୍ତି | #NoSir ନାମରେ ଟ୍ୱିଟରରେ ଟ୍ରେଣ୍ଡ କରିବାକୁ ଲାଗିଛି |ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ଵିଟ କରି ଲେଖିଥିଲେ ଯେ ସୋସିଆଲ ମିଡିଆ ନ ଛାଡ଼ି ଘୃଣାକୁ ତ୍ୟାଗକର । ଆଉ କିଛି ଫଲୋୟର୍ସ ମୋଦୀଙ୍କ ସୋସିଆଲ ମିଡ଼ିଆ ଛାଡିବାକୁ ନେଇ ସ୍ୱାଗତ କରିଛନ୍ତି | #YesSir ନାମରେ ଟ୍ରେଣ୍ଡ ମଧ୍ୟ ଟ୍ୱିଟରରେ ଦେଖିବାକୁ ମିଳିଛି |ଏଠାରେ ସୂଚନା ଥାଉ କି ସୋସିଆଲ ମିଡିଆରେ ମୋଦୀଙ୍କର ବହୁ ପ୍ରଶଂସକ ଏବଂ ଅନୁଗାମୀ ରହିଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କୁ ବାର୍ତ୍ତା ଦେବାରେ ମୋଦୀ ବହୁ ଆଗରେ ରହିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯାହାଙ୍କର ଅନୁଗାମୀ ସଂଖ୍ୟା ଟ୍ବିଟରରେ ୫୦ ନିୟୁତ ଅତିକ୍ରମ କରିଛି। ଏଭଳି ମାଇଲଖୁଣ୍ଟ ହାସଲ କରିବାରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପରେ ବିଶ୍ବର ତୃତୀୟ ବ୍ୟକ୍ତି।