ପୁଲୱାମା ହମଲାର ବର୍ଷକ ପରେ ବାପା ଝିଅ ଗିରଫ

An Independent Media

ନୂଆଦିଲ୍ଲୀ:   ୨୦୧୯ ଫେବ୍ରୁଆରି ୧୪ ତାରିଖ ଦିନ ପୁଲଓ୍ଵାମାରେ ହୋଇଥିବା ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାମିଲ ଥିବା ଜଣେ ପିତା ଓ ତାଙ୍କ ଝିଅଙ୍କୁ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଜମ୍ମୁ-କଶ୍ମୀରର ଲେଥପୋରାରୁ ଗିରଫ କରିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଏନ୍‌ଆଇଏ ମଙ୍ଗଳବାର ଗିରଫ କରିଥିବା ଏହି ବାପ-ଝିଅ ଦୁହେଁ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲେ। ସୂଚନା ଅନୁସାରେ, ସିଆରପିଏଫ୍‌ ଯବାନଙ୍କ ଗାଡ଼ି ଉପରେ ଏମାନେ ନଜର ରଖିବା ସହିତ ଆକ୍ରମଣରେ ବ୍ୟବହୃତ ବୋମା ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ। ଏଯାବତ୍ ଏହି ଘଟଣାର ଯାଞ୍ଚ ଜାରି ରହିଛି। ଗିରଫ ବ୍ୟକ୍ତିଙ୍କ ନାଁ ପୀର ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅଙ୍କ ନାଁ ଇନଶା ଜାହାନ। ଉଭୟଙ୍କୁ ଏନଆଇଏ ଗିରଫ କରିବା ପରେ ରିମାଣ୍ଡରେ ନେଇଛି। ଗତବର୍ଷ ଫେବୃଆରୀ ୧୪ରେ ଜୈଶ-ଏ-ମହମ୍ମଦ ଆତଙ୍କୀ ଆଦିଲ ଅହମ୍ମଦ ଦର କାର ଦ୍ୱାରା ଆତ୍ମଘାତୀ ବିସ୍ଫୋରଣ କରିଥିଲା। ବିସ୍ଫୋରକ ଖଚିତ କାର ସିଆରପିଏଫ୍‌ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ମାଡ଼ ହୋଇଥିଲା। ଫଳରେ ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ।ନିକଟରେ ଏନ୍‌ଆଇଏ ଏହି ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିବା ଜୈସ୍‌-ଏ-ମହମ୍ମଦର ୨୨ବର୍ଷୀୟ ଶାକିର ବରୀରକୁ ଗିରଫ କରିଥିଲା।

ଆତଙ୍କୀ ଆଦିଲର ଘର ପୁଲୱାମାର ହାଡିକିପୁରା ବୋଲି ଜଣାପଡ଼ିଛି। ଆଜି ଗିରଫ ହୋଇଥିବା ବାପା-ଝିଅ ଆତଙ୍କବାଦୀଙ୍କୁ ପୁଲୱାମା ହମଲା ବେଳେ ସହଯୋଗ କରିଥିଲେ। ଏହି ବାପା-ଝିଅ ଫେବୃଆରୀ ୧୪ ପୂର୍ବରୁ ଆଦିଲ, ଶକିର ମାଗରେ ଓ ଜୈଶ-ଏ-ମହମ୍ମଦର ଅନ୍ୟତମ ଟପ କମାଣ୍ଡରକୁ ଭାରତ ଆଣି ସୁରକ୍ଷା ଯୋଗାଇଥିଲେ। ଏପରି କି ଜେରା ବେଳେ ତାରିକ କହିଛି ଯେ ଆତଙ୍କବାଦୀମାନେ ପୁଲୱାମାରେ ଥିବା ତାଙ୍କ ଘରକୁ ବ୍ୟବହାର କରି ସେଠାରେ ହିଁ ହମଲାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଆକ୍ରମଣ ପରେ ଜୈଶ ଆଦିଲର ଭିଡଓ ଜାରି କରିଥିଲା। ଏହି ଭିଡିଓଟି ତାରିକଙ୍କ ଘରେ ଶୁଟିଂ ହୋଇଥିଲା। ଆଦିଲଙ୍କୁ ହମଲା ପାଇଁ ଆଶ୍ରୟ ଓ ଲଜିଷ୍ଟିକ ଯୋଗାଇଥିବା ଶକିରକୁ ଗତ ସପ୍ତାହରେ ଏନଆଇଏ ଗିରଫ କରିଥିଲା। ଆକ୍ରମଣ ଦିନ କାରରେ ଆଦିଲ ସହ ଶକିର ମଧ୍ୟ ରହିଥିଲା। ଶକିର ହିଁ ପ୍ରଥମେ କାର ଚଳାଉଥିଲା। କିନ୍ତୁ ଆକ୍ରମଣ ସ୍ଥଳର ୫୦୦ ମିଟର ପୂର୍ବରୁ ସେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲା।

ତେଣୁ ଆକ୍ରମଣରେ ସେ କେତେ ପରିମାଣର ଜଡ଼ିତ ଥିଲା, ଏଥିରୁ ସ୍ପଷ୍ଟ ହୋଇଛି। ଆମାଜନରୁ ଅର୍ଡର ଦେଇ ଜୈଶ ପକ୍ଷରୁ ଗ୍ଲୋବ୍ସ, ବ୍ୟାଟେରୀ ଓ କେମିକାଲ ପାୱଡର କିଣା ଯାଇଥିଲା ବୋଲି ଏନଆଇଏର ଜଣେ ଅଧିକାରୀ କହିଛନ୍ତି।

ପୁଲଓ୍ଵାମାରେ ଯବାନଙ୍କ ଗାଡ଼ି  ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀ  ଅହମ୍ମଦ ଦାର ବୋଲି ଏନ୍‌ଆଇଏ ସ୍ପଷ୍ଟ କରିଥିଲା। ତେବେ ତାର ମୃତ୍ୟୁ ହେବା ପରେ ଯାଞ୍ଚକୁ ଆଗକୁ ବଢ଼ାଇବାରେ ବହୁ ଅସୁବିଧା ହୋଇଥିଲା। ତେବେ ଏହି ଘଟଣାରେ ଜଡ଼ିତ ଥିବା ଅନେକ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ପାକିସ୍ତାନରେ ଥିବା ଅନୁମାନ କରାଯାଉଛି। ଆକ୍ରମଣରେ ପରେ ସୁରକ୍ଷାବଳ ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ ହୋଇଥିବା ଗାଡ଼ିର ମାଲିକର ପରିଚୟ ପାଇଥିଲେ। କିନ୍ତୁ ଏକ ଗୁଳିବିନିମୟରେ ତାର ବି ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ତେବେ ମଙ୍ଗଳବାର ଏନ୍‌ଆଇଏ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ବାପା-ଝିଅକୁ ଗିରଫ କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି। କାରଣ ଏହି ବାପା-ଝିଅ ଆକ୍ରମଣ ନେଇ ଅନେକ ରହସ୍ୟ ଉପରୁ ଫରଦା ଉଠାଇ ପାରନ୍ତି।

 

error: Thank You Keep Visiting