ତାଲିବାନ ନେତାଙ୍କ ସହ ଫୋନରେ କଥାହେଲେ ଡୋନାଲ୍ଡ ଟ୍ରମ୍ଫ
ଓ୍ଵାସିଂଟନ୍: ତାଲିବାନ ନେତାଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ଦୀର୍ଘ ୧୮ ବର୍ଷ ଧରି ଆଫଗାନିସ୍ତାନରେ ଥିବା ଆମେରିକୀୟ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ଏକ ରାଜିନାମାରେ ପହଞ୍ଚିବାର କିଛି ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍ ତାଲିବାନ ନେତାଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ହ୍ଵାଇଟ୍ ହାଉସ୍ର ଦକ୍ଷିଣ ଲନ୍ରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଆଜି ତାଲିବାନ ନେତାଙ୍କ ସହ କଥାବାର୍ତ୍ତା କରିଛନ୍ତି। ଉଭୟଙ୍କ ମଧ୍ୟରେ ଉତ୍ତମ କଥାବାର୍ତ୍ତା ହୋଇଥିବା କଥା ମଧ୍ୟ ସେ ସୂଚନା ଦେଇଛନ୍ତି।ରାଷ୍ଟ୍ରପତି ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେବାର କିଛି ସମୟ ପୂର୍ବରୁ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଟୁଇଟ୍ କରିଥିଲେ ଯେ ତାଲିବାନ ନେତା ମୁଲ୍ଲା ଅବ୍ଦୁଲ୍ ଗନି ବରାଦରଙ୍କ ସହ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି।ଉଭୟଙ୍କ ମଧ୍ୟରେ ହୋଇ ଥିବା କଥାବାର୍ତ୍ତା ସଂକ୍ରାନ୍ତରେ ଆଉ କିଛି ବିଶେଷ ବିବରଣୀ ଦିଆଯାଇ ନାହିଁ।