ଲକ୍ଷ୍ନୌ : ସିଏଏ ବିରୋଧୀ ଆନ୍ଦୋଳନକାରୀ ଫଟୋ ଥିବା ହୋର୍ଡିଂ ହଟାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ: ସିଏଏ ବିରୋଧୀ ଆନ୍ଦୋଳନକାରୀ ଫଟୋ ଲାଗିଥିବା ହୋର୍ଡିଂ ହଟାଇବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହି ଘଟଣାକୁ ‘ଅନ୍ୟାୟ’ ବୋଲି କହିଛନ୍ତି। ନାଗରିକଙ୍କ ଗୋପନୀୟତା ଅଧିକାର ଏହି ଘଟଣାରେ ଉଲ୍ଲଂଘନ ହୋଇଛି। କୋର୍ଟ କହିଥିଲେ, ଏହାକୁ ସୁଧାରିବା ପାଇଁ ସରକାର କିଛି କରନ୍ତୁ। ଏହି ହୋର୍ଡିଂରେ ୫୩ ଜଣ ସିଏଏ ବିରୋଧୀଙ୍କ ଫଟୋ ଓ ଠିକଣା ସ୍ଥାନ ପାଇଥିଲା। ଉତ୍ତରପ୍ରଦେଶ ସରକାର ଲଗାଇଥିବା ଏହି ପୋଷ୍ଟର ନେଇ ପୂର୍ବରୁ ଖୁବ ବିବାଦ ଦେଖାଦେଇଥିଲା। ଏଥିରେ ଫଟୋ ବ୍ୟତୀତ ସେମାନଙ୍କ ନାମ ଏବଂ ଠିକଣା ମଧ୍ୟ ସ୍ଥାନ ପାଇଥିଲା। କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଲକ୍ଷ୍ନୌ ଡିଭିଜନ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଏହି ଅଭିଯୁକ୍ତମାନଙ୍କ ଫଟୋ ଥିବା ହୋର୍ଡିଂ ହଟାଯିବା ନେଇ ସେ ନିଶ୍ଚିତ କରନ୍ତୁ। କୋର୍ଟ ପୂର୍ବରୁ ନିର୍ଦ୍ଦଶ ଦେଇଥିଲେ, ଏନେଇ ସେମାନେ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଥିଲେ।