ଇଟାଲୀରେ ବିନା କାରଣରେ ଘରୁ ବାହାରିଲେ ୩୦୦ ୟୁରୋ ଜୋରିମାନା
ନୂଆଦିଲ୍ଲୀ : ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଇଟାଲୀରେ ୨୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଇଟାଲୀ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଇଟାଲୀରେ ବିନା କାରଣରେ ଘରୁ ବାହାରିଲେ ୩୦୦ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। ଇଟାଲୀର ଓଲାଙ୍ଗରେ ରହୁଥିବା ଜଣେ ଭାରତୀୟ ନାଗରିକ ଏକ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇଟାଲୀରେ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ସରକାର ଅତ୍ୟଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ କ୍ଷୀର, ଔଷଧ ଏବଂ ପନିପରିବା କିଣିବା ପାଇଁ ଲୋକମାନେ ବାହାରକୁ ବାହାରି ପାରିବେ। ଏଥିପାଇଁ ଲୋକଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ। ସେମାନେ କେଉଁଠାକୁ ଯାଉଛନ୍ତି ଏବଂ କାହା ସଂମ୍ପର୍କରେ ଆସୁଛନ୍ତି ସେନେଇ ଫର୍ମରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ। ନିକଟରେ ଅନାବଶ୍ୟକ ଭାବେ ରାସ୍ତାରେ ବୁଲୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ସୂଚନା ମିଳିଥିଲା।