ମାଓବାଦୀଙ୍କ ଚିଠିରୁ କଂଗ୍ରେସ ନେତାଙ୍କ ଫୋନ୍‍ ନମ୍ବର ମିଳିଛି : ବିଜେପି

An Independent Media

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଅଭିଯୋଗ କରିଛି ଯେ ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଦୁଇ ଅଭିଯୁକ୍ତଙ୍କ ଚିଠିରୁ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଫୋନ୍‍ ନମ୍ବର ମିଳିଛି। କଂଗ୍ରେସର କିଛି ନେତା ମାଓବାଦୀଙ୍କ ସହ ଭିତିରିଆ ସମ୍ପର୍କ ରଖିଛନ୍ତି। ତେଣୁ କଂଗ୍ରେସ ନିଜ ନାମ ବଦଳାଇ ମାଓବାଦୀଙ୍କ ଦଳ ବୋଲି ନାମ ରଖିବା ଉଚିତ୍‍ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଟାକ୍ଷ କରି କହିଛନ୍ତି। ଅପରପକ୍ଷରେ କଂଗ୍ରେସ ନେତା ଦିଗବିଜୟ ତାଙ୍କୁ ବିଜେପି ସରକାର ଗିରଫ କରି ଦେଖାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।
ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିକଟରେ ଏକ ଚଢାଉରୁ କମରେଡ୍‍ ସୁରେନ୍ଦ୍ର ଏବଂ ପ୍ରକାଶଙ୍କ ମଧ୍ୟରେ ୨୦୧୭ ସେପ୍ଟେମ୍ବର ୨୫ରେ ବିନିମୟ ହୋଇଥିବା ପତ୍ର ମିଳିଥିଲା। ଏହି ଚିଠିର ଏକ ଧାଡିରେ ଲେଖାଯାଇଥିଲା ଯେ କଂଗ୍ରେସ ନେତା ନକ୍ସଲବାଦକୁ ପ୍ରୋତ୍ସାହନ ଦେବା ପାଇଁ ଆଗ୍ରହୀ ଅଛନ୍ତି। କଂଗ୍ରେସ ଏଥିପାଇଁ ପାଣ୍ଠି ଯୋଗାଇବାକୁ ପ୍ରସ୍ତୁତ ଅଛି। ଏହାସହ ପତ୍ରରେ ଜଣେ ମାଓ ବନ୍ଧୁଙ୍କ ସହ ଯୋଗାଯୋଗ କରିବାକୁ ଏକ ଫୋନ୍‍ ନମ୍ବର ଦିଆଯାଇଥିଲା। ଯାଞ୍ଚରୁ ଏହି ଫୋନ୍‍ ନମ୍ବର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପରାମର୍ଶଦାତା ଦିଗବିଜୟ ସିଂହଙ୍କର ବୋଲି ଜଣାପଡିଛି। କଂଗ୍ରେସ ସବୁବେଳେ ମାଓବାଦୀଙ୍କୁ ନେଇ ସର୍ବଦା ଦୁଇ ମୁହାଁ ନୀତି ଆପଣାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଚଳିତ ବର୍ଷ ଜୁନ୍‍ ୬ରେ ପୁନେ ପୁଲିସ୍‍ ନାଗପୁର ଓକିଲ ତଥା ମାଓବାଦୀ କାର୍ଯ୍ୟକର୍ତ୍ତା ସୁରେନ୍ଦ୍ର ଏବଂ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ପ୍ରକାଶଙ୍କୁ ଗିରଫ କରିଥିଲା।

error: Thank You Keep Visiting