ଜାଣନ୍ତୁ କେଉଁ ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାମରେ ସବୁଠୁ ଅଧିକ ଅପରାଧୀକ ମାମଲା

An Independent Media

ନୂଆଦିଲ୍ଲୀ : ବିହାର ସାଂସଦ ଏବଂ ବିଧାୟକଙ୍କ ନାମରେ ସବୁଠୁ ଅଧିକ ଅପରାଧୀକ ମାମଲା ରୁଜୁ ହୋଇଛି । ଏହା ପଛକୁ ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରୁ ଏହା ଜଣାପଡିଛି । ସତ୍ୟପାଠ ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଗଠିତ ସ୍ୱତନ୍ତ୍ର ଅଦାଲତଗୁଡ଼ିକୁ ଏଭଳି ୧୨୩୩ ମାମଲା ସ୍ଥାନାନ୍ତର କରାଯାଇଛି । ଏହି ଅଦାଲତଗୁଡ଼ିକରେ ଖୁବଶୀଘ୍ର ଜନପ୍ରତିନିଧିଙ୍କ ବିରୋଧରେ ରୁଜୁ ମାମଲାର ତ୍ୱରିତ ଶୁଣାଣି ହେବ । ଏପର୍ଯ୍ୟନ୍ତ ଏଭଳି ୧୩୬ଟି ମାମଲାର ଫଇସଲା ହୋଇଛି । ବାକି ୧୦୯୭ଟି ମାମଲାର ଶୁଣାଣି ବାକି ଅଛି । ବିହାର ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ୨୬୦ ମାମଲା ସ୍ୱତନ୍ତ୍ର ଅଦାଲତକୁ ପଠାଯାଇଛି । ସେଥିମଧ୍ୟରୁ ଗତ ମାସରେ ୧୧ଟି ମାମଲାର ଶୁଣାଣି ହୋଇଛି ଓ ୨୪୯ଟି ମାମଲାର ଶୁଣାଣି ବାକି ରହିଛି । ଅପରାଧୀକ ମାମଲାର ଶୁଣାରି କ୍ଷେତ୍ରରେ ପଶ୍ଚିମବଙ୍ଗ ସବୁଠୁ ପଛରେ ରହିଛି । ଏଠାରେ ମାର୍ଚ୍ଚ ୨୦୧୮ ମଧ୍ୟରେ ସାଂସଦ ଏବଂ ବିଧାୟକଙ୍କ ନାମରେ ୨୧୫ଟି ମାମଲା ରୁଜୁ ହୋଇଛି ଓ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲାର ଶୁଣାଣି ହୋଇନି । କେରଳ ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ୧୭୮ ମାମଲା ଉପରେ କୌଣସି ସୂଚନା ନାହିଁ । କେରଳ ପଛକୁ ଦିଲ୍ଲୀର ସାଂସଦ ଏବଂ ବିଧାୟକଙ୍କ ନାମରେ ୧୫୭ ଅପରାଧୀକ ମାମଲା ରୁଜୁ ହୋଇଥିଲା । ଗତ ୬ ମାସ ମଧ୍ୟରେ ଏହା ମଧ୍ୟରୁ ୪୪ଟି ମାମଲାର ଶୁଣାଣି ହୋଇଛି । ଦିଲ୍ଲୀର ଅନ୍ୟ ୪୫ ମାମଲା ସେସନ୍ କୋର୍ଟରେ ବିଚାରଧୀନ ରହିଛି ଓ ୬ଟି ମାମଲାର ରାୟ ପ୍ରକାଶ ପାଇଛି । ସେହିପରି କର୍ଣ୍ଣାଟକ ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ୧୪୨ ମାମଲାରୁ ୧୯ଟିର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି । ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ସାଂସଦ ଏବଂ ବିଧାୟକଙ୍କ ନାମରେ ୬୪, ମହାରାଷ୍ଟ୍ରରେ ୫୦, ମଧ୍ୟପ୍ରଦେଶରେ ୨୮ ଅପରାଧୀକ ମାମଲା ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟକୁ ଦିଆଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ଏଭଳି ମାମଲାର ଶୁଣାଣି ପାଇଁ ୧୨ଟି ସ୍ୱତନ୍ତ୍ର ଅଦାଲତ ଗଠନ ହୋଇଛି । ତାହା ମଧ୍ୟରେ ୬ଟି ସେସନ୍ କୋର୍ଟ ଏବଂ ୫ଟି ମାଜିଷ୍ଟ୍ରେଟ୍ କୋର୍ଟ ରହିଛି । ତାମିଲନାଡୁ ସ୍ୱତନ୍ତ୍ର ଅଦାଲତ ସମ୍ପର୍କିତ ତଥ୍ୟ ମିଳିନାହିଁ ।

error: Thank You Keep Visiting