ଏକ ଅଭାବନୀୟ ଘଟଣା ବିମାନ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ

An Independent Media

ମୁମ୍ବଇ: ବିମାନ ଯାତ୍ରା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିମାନରେ ବାୟୁ ଚାପ କମ୍‍ ହୋଇଯିବା କାରଣରୁ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଛି। ଏହି ଘଟଣା ପରେ ବିମାନକୁ ପୁଣି ଫେରାଇ ଅଣାଯାଇଛି। ଜେଟ୍‍ ଏୟାରୱେଜ୍‍ର ବୋଇଂ ୭୩୭ ବିମାନଟି ୧୬୬ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଜୟପୁର ଅଭିମୁଖେ ବାହାରିଥିଲା। କିନ୍ତୁ ପାଇଲଟ୍‍ ବିମାନର ଚାପ ନିୟନ୍ତ୍ରଣ ପ୍ରକ୍ରିୟାକୁ ସକ୍ରିୟ କରିବାକୁ ଭୁଲି ଯାଇଥିଲେ। ବିମାନଟି କିଛି ବାଟ ଉଡ଼ିବା ପରେ ହଠାତ୍‍ ଯାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରାୟ ୩୦ ଜଣ ଯାତ୍ରୀଙ୍କ ନାକରୁ ଓ ଆଉ କେତେଜଣଙ୍କ କାନରୁ ରକ୍ତସ୍ରାବ ହୋଇଥିଲା। କିଛି ଯାତ୍ରୀ ମୁଣ୍ଡବିନ୍ଧା ହେଉଥିବା ଅଭିଯୋଗ କରିଛନ୍ତି। ଯାତ୍ରୀଙ୍କୁ ବିମାନ ଭିତରେ ଅକ୍ସଜେନ୍‍ ମାସ୍କ ଦିଆଯାଇଥିଲା।

ଏହାପରେ ବିମାନକୁ ମୁମ୍ବଇ ଫେରାଇ ଅଣାଯାଇଥିଲା। ଗୁରୁତର ଅବସ୍ଥାରେ ୮ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡିଜିସିଏର ଯୁଗ୍ମ ମହାନିର୍ଦେଶକ ଲଲିତ ଗୁପ୍ତା କହିବା ଅନୁଯାୟୀ ବିମାନ ବନ୍ଦରରେ ବିମାନ ଓହ୍ଲାଇବା ପରେ ସେଠାରେ ଉପସ୍ଥିତ ଡାକ୍ତର ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କର ଚିକିତ୍ସା କରିଥିଲେ। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ପାଇଲଟ୍‍ ଓ ବିମାନ କର୍ମଚାରୀଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦିଆଯାଇଛି।

error: Thank You Keep Visiting