ଆରମ୍ଭ ହେଲା ‘ଆୟୁଷ୍ମାନ ଭାରତ’ ଯୋଜନା ; ଉପକୃତ ହେବେ ୫୦ କୋଟି
ରାଞ୍ଚି: ବିଶ୍ୱର ସର୍ବବୃହତ୍ ସରକାରୀ ସ୍ୱାସ୍ଥ୍ୟ ସେବା ଯୋଜନା ‘ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖରୁ ଦେଶର ୪୪୫ଟି ଜିଲ୍ଲାରେ ଏକା ସହିତ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ଦ୍ୱାରା ୫୦କୋଟି ଲୋକ ଉପକୃତ ହେବେ ବୋଲି ସରକାରୀ ଭାବେ କୁହାଯାଇଛି। ଏହି ଯୋଜନା ବିଷୟରେ ଜାଣିବା ପାଇଁ ଲୋକମାନେ ଦେୟମୁକ୍ତ ନଂ ୧୪୫୫୫ରେ ଯୋଗାଯୋଗ କରିପାରିବେ। ଝାଡ଼ଖଣ୍ଡର ରାଞ୍ଚିଠାରେ ଏହି ମେଗା ଯୋଜନାର ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଆୟୁଷ୍ମାନ ଭାରତ ଏକ ‘ଗେମ୍ ଚେଞ୍ଜର’ ଭାବେ ସାବ୍ୟସ୍ତ ହେବ।
ଏହି ଯୋଜନାରେ ଉପକୃତ ହେବାକୁ ଥିବା ହିତାଧିକାରୀଙ୍କ ସଂଖ୍ୟା ଆମେରିକା, କାନାଡ଼ା ଓ ମେକ୍ସିକୋର ମିଳିତ ଜନସଂଖ୍ୟାଠାରୁ ମଧ୍ୟ ଅଧିକ। କେହି କେହି ଏହାକୁ ‘ମୋଦି କେୟାର’ ନାମରେ ଅଭିହିତ କରିଛନ୍ତି। କିନ୍ତୁ ମୋ ପାଇଁ ଏହି ଯୋଜନା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ସମର୍ପିତ ସର୍ବୋତ୍କୃଷ୍ଟ ଯୋଜନା। ଏହି ଯୋଜନାର ଲୋକାର୍ପଣ ଉତ୍ସବ ଅବସରରେ ଆୟୋଜିତ ସମାବେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରମୁଖ ଉପସ୍ଥିତ ଥିଲେ।