ବୁରହାନ୍ ୱାନି ଜଣେ ସଂଗ୍ରାମୀ : ପାକିସ୍ତାନ ବିଦେଶ ମନ୍ତ୍ରୀ

An Independent Media

ୱାଶିଂଟନ୍ : ପାକିସ୍ତାନ ସରକାର ଆତଙ୍କବାଦୀ ବୁରହାନ୍ ୱାନି ସହିତ ୨୦ଜଣଙ୍କ ଉପରେ ଡାକଟିକଟ ପ୍ରକାଶ କରିବା ଘଟଣାରେ କ୍ଷୁବ୍ଧ ଭାରତ ସରକାର ଏ ନେଇ ପାକିସ୍ତାନ ନିକଟରେ ଆପତ୍ତି ଉଠାଇବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏହାର ଜବାବ ରଖିଛନ୍ତି । ସ୍ଥାନୀୟ ପାକିସ୍ତାନ ଦୂତାବାସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳୀନୀରେ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଛନ୍ତି ଯେ ପାକିସ୍ତାନ ସହିତ ଆଲୋଚନାର ଦ୍ୱାର ଭାରତ ସରକାର ଯେତେ ବନ୍ଦ କଲେ ମଧ୍ୟ ଆମେ ଆମ ପ୍ରୟାସରୁ ଅଟକିବୁ ନାହିଁ । ଉପମହାଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବୁ ।

ଜୁଲାଇରେ ଘଟିଥିବା ଘଟଣାକୁ ନେଇ ଭାରତ ସରକାର ସେପ୍ଟେମ୍ବରରେ ହେବାକୁ ଥିବା ଆଲୋଚନା ବନ୍ଦ ରଖିଛନ୍ତି । ଶୁକ୍ରବାର ତିନି ପୁଲିସ କର୍ମଚାରୀଙ୍କୁ ହତ୍ୟା ଓ ବୁରହାନ୍ ୱାନିକୁ ସ୍ୱାଧୀନତା ସଂଗ୍ରାମୀ ଦର୍ଶାଇ ତା’ ଉପରେ ଡାକଟିକଟ ପ୍ରକାଶ କରିବା ଆଳରେ ଭାରତ ନ୍ୟୁୟର୍କରେ ପ୍ରସ୍ତାବିତ ଆଲୋଚନା ବାତିଲ କରିଛି । ଭାରତ ସରକାର ଜାଣିବା ଉଚିତ ଯେ କାଶ୍ମୀର ସ୍ୱାଧୀନତା ପାଇଁ ଶହଶହ ଲୋକ ସଂଗ୍ରାମ କରୁଛନ୍ତି; ସେମାନେ ସମସ୍ତେ ଆତଙ୍କବାଦୀ ନୁହନ୍ତି । ବୁରହାନ୍ ଜଣେ ସଂଗ୍ରାମୀ ।

ଭାରତ ଆଲୋଚନା ପାଇଁ ଅନିଚ୍ଛୁକ; କିନ୍ତୁ ଆମର ଦ୍ୱାର ସବୁବେଳେ ଖୋଲା । ଭାରତ କାହିଁକି ସବୁବେଳେ ଆଲୋଚନା ପାଇଁ ପଛାଉଛି ତାହା ବୁଝିହେଉ ନାହିଁ । ପାକିସ୍ତାନର ଶାନ୍ତି ପ୍ରୟାସ ପ୍ରତି ଭାରତର ଆଭିମୁଖ୍ୟ ଅସ୍ପଷ୍ଟ, ନିଷ୍ପତ୍ତି ନେବାରେ ମଧ୍ୟ ଦ୍ୱନ୍ଦ୍ୱ ରହୁଛି । ଏହା ଅଣକୂଟନୈତିକ ଚିନ୍ତାଧାରା; କିନ୍ତୁ ପାକିସ୍ତାନର କଥା ଓ କାମ ସବୁବେଳେ ସ୍ପଷ୍ଟ । ଶାନ୍ତି ପ୍ରୟାସରେ ପାକିସ୍ତାନ କେବେ ପଛକୁ ହଟେ ନାହିଁ ବୋଲି ସେ କହିଛନ୍ତି । ଏ କ୍ଷେତ୍ରରେ ସୁଷମା ସ୍ୱରାଜଙ୍କ ଭାଷା କୂଟନୈତିକ ନୀତି ଆଧାରିତ ନୁହେଁ; ଜଣେ ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କର ସ୍ୱର ଅସ୍ପଷ୍ଟ ବୋଲି ସେ ଅଭିଯୋଗ କରିଛନ୍ତି । ଭାରତ କାଶ୍ମୀର ପ୍ରସଙ୍ଗରେ ସତ୍ୟକୁ ଯେତେ ଲୁଚାଇଲେ ମଧ୍ୟ ଏହା ଲୁଚିରହିବ ନାହିଁ । ଏହାଦ୍ୱାରା କାଶ୍ମୀର ପରିସ୍ଥିତିରେ ମଧ୍ୟ ଉନ୍ନତି ଆସିବ ନାହିଁ ବୋଲି କ୍ୟୁରେସୀ କହିଛନ୍ତି ।

error: Thank You Keep Visiting