ରାଷ୍ଟ୍ରପତି ମଞ୍ଜୁର କଲେ ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ

An Independent Media

ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରରେ ମେହବୁବା ମୁଫତିଙ୍କ ସରକାରର ପତନ ପରେ ରାଷ୍ଟ୍ରପତି ରାଜ୍ୟରେ ରାଜ୍ୟପାଳ ଶାସନକୁ ମଞ୍ଜୁର କରିଛନ୍ତି। ମଙ୍ଗଳବାର ବିଜେପି-ପିଡିପି ମେଣ୍ଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରାଜ୍ୟପାଳ ଏନଏନ ଭୋରାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ବୁଧବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟରେ ରାଜ୍ୟପାଳ ଶାସନକୁ ମଞ୍ଜୁର କରିଛନ୍ତି। ମେହବୁବାଙ୍କ ଇସ୍ତଫା ପରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଧ୍ୟ ରାଜ୍ୟପାଳଙ୍କୁ ଭେଟିଥିଲେ। ମେହବୁବା ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପକ୍ଷ ରଖି କହିଛନ୍ତି ଯେ ବିଜେପି ଓ ପିଡିପି ଭିନ୍ନଭିନ୍ନ ବିଚାରଧାରା ରଖୁଥିଲେ ମଧ୍ୟ ରାଜ୍ୟର ସମୁହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକତ୍ର କାର୍ଯ୍ୟ କରୁଥିଲେ। କଶ୍ମୀରବାସୀ ଓ ପାକିସ୍ତାନ ସହ ଆଲୋଚନା ମାଧ୍ୟମରେ ହିଁ କେବଳ ଶାନ୍ତି ଫେରିବ ଏଭଳି ଏକ ଲକ୍ଷ୍ୟରେ ପିଡିପି ବିଶ୍ୱାସ ରଖୁଥିବାବେଳେ ବିଜେପିର ରଣନୀତି ସମ୍ପୂର୍ଣ୍ଣ ଭିନ୍ନ।
ଏପରି ହୋଇଥିଲା ମହବୁବା ଶାସନର ଅନ୍ତ
ଅନ୍ୟାନ୍ୟ ଦିନ ପରି ମୁଖ୍ୟମନ୍ତ୍ରୀ ମେହବୁବା ନିଜ କାର୍ଯ୍ୟାଳୟରେ ବ୍ୟସ୍ତ ଥିଲେ। ମଙ୍ଗଳବାର ସିଭିଲ ସଚିବାଳୟରେ ଏକ ଜରୁରୀ ଦସ୍ତାବିଜର ଅନୁଧ୍ୟାନ କରୁଥିବାବେଳେ ମୁଖ୍ୟ ଶାସନ ସଚିବ ବିବି ବ୍ୟାସ ହଠାତ୍‍ ତାଙ୍କ ପ୍ରକୋଷ୍ଠ ମଧ୍ୟକୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ରାଜ୍ୟପାଳଙ୍କୁ ଫୋନ କରିବାକୁ ନିର୍ଦେଶ ସମ୍ପର୍କରେ ଶ୍ରୀ ବ୍ୟାସ ସୂଚନା ଦେଇଥିଲେ। ରାଜ୍ୟପାଳଙ୍କୁ ଫୋନ୍‍ କରିବା ପରେ ମେହବୁବା ଜାଣି ପାରିଥିଲେ ଯେ, ତାଙ୍କ ସରକାର ଭାଙ୍ଗି ଯାଇଛି।
୨୦୧୯ ପାଇଁ ପ୍ରସ୍ତୁତ ହେଉଛି ବିଜେପି:
ଜମ୍ମୁ- କାଶ୍ମୀରରେ ପିଡିପି ସହ ମେଣ୍ଟ ଭାଙ୍ଗି ବିଜେପି ୨୦୧୯ ନିର୍ବାଚନ ପ୍ରଚାର ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ କରିଦେଇଛି କହିଲେ ଭୁଲ ହେବ ନାହିଁ। ରାଜ୍ୟରେ ପିଡିପି ପରି ଦଳକୁ ଯେଉଁଠି ଅଳ୍ପ ସଂଖ୍ୟକ ଭୋଟ ମିଳୁଛି, ସେତେବେଳେ ବିଜେପି ବେଶ୍‍ ଭଲ ଭାବରେ ବୁଝି ଯାଇଛି ଯେ, ଜମ୍ମୁ- କାଶ୍ମୀରରେ ଅଳ୍ପସଂଖ୍ୟକ ଭୋଟ ଦଳକୁ ମିଳିବ ନାହିଁ। ଏଭଳି ପରିସ୍ଥିତିରେ କେବଳ ସରକାର କରିବା ଉଦ୍ଦେଶ୍ୟରେ ପିଡିପି ପରି ଅଳ୍ପ ସଂଖ୍ୟକ ସମର୍ଥିତ ଦଳକୁ ଜାବୁଡ଼ି ଧରିବା ଦଳର ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରୁଛି। ଏହାର ପରିଣାମରେ ବିଜେପିକୁ କ୍ରମାଗତ ରାଜ୍ୟ ଭିତରୁ ଓ ବାହାରୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।
ଅପରପକ୍ଷରେ କେବଳ ବିକାଶର ଦ୍ୱାହି ଦେଇ ୨୦୧୯ ନିର୍ବାଚନ ଜିତି ହେବ ନାହିଁ ଏହା ବେଶ୍‍ ବୁଝି ପାରିଛି ବିଜେପି। ସେହିପରି ଆଞ୍ଚଳିକ ଦଳର ଭୋଟ ବ୍ୟାଙ୍କକୁ ଭାଙ୍ଗିବାକୁ ହେଲେ ଦଳକୁ ହିନ୍ଦୁ ଭୋଟ ବ୍ୟାଙ୍କକୁ ଅଧିକ ବଳିଷ୍ଠ କରିବାକୁ ପଡ଼ିବ। ଏଥିପାଇଁ କଶ୍ମୀରରେ ସରକାରକୁ ଜାବୁଡ଼ି ଧରି ହିନ୍ଦୁତ୍ୱର ପରିଭାଷା ବୁଝାଇବା ଦଳ ପାଇଁ ବାହାସ୍ଫୋଟ ବ୍ୟତୀତ ଆଉ କିଛି ନୁହେଁ। କାରଣ କଶ୍ମୀର ପ୍ରସଙ୍ଗ ହେଉ କିମ୍ବା ରାମ ମନ୍ଦିର ପ୍ରସଙ୍ଗ ଉପରେ ବିଜେପିକୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ତେଣୁ ବଡ଼ ଲାଭକୁ ଦୃଷ୍ଟିରେ ରଖି କଶ୍ମୀର ପରି ରାଜ୍ୟର ସରକାର ବିଜେପି ପାଇଁ ଛୋଟ ବୋଲି ପ୍ରମାଣିତ ହେଲା। ଫଳରେ ବଡ଼ ଲାଭ ଆଶାରେ ଛୋଟ ଲାଭ ଛାଡ଼ିବାକୁ ବାଧ୍ୟ ହେଲା ବିଜେପି।

error: Thank You Keep Visiting