ରାଫେଲକୁ ନେଇ ହୋଇଥିବା ବୁଝାମଣାରେ କୌଣସି ଅନିୟମିତତା ନାହିଁ:ସୀତାରମଣ

An Independent Media

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ଫ୍ରାନ୍ସ ସରକାରଙ୍କ ସହିତ ହୋଇଥିବା ବୁଝାମଣା ଆଇନସିଦ୍ଧ । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି । ରାଫେଲ ବୁଝାମଣା ସମ୍ପର୍କରେ ସୀତାରମଣ ମିଛ କହୁଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଆସୁଥିବାବେଳେ ସେ ଏପରି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ଯେଉଁ ବୁଝାମଣା ହୋଇଛି ତାହା ଆନ୍ତଃ ସରକାର ବୁଝାମଣା । ପ୍ରଚଳିତ ଆଇନ ବ୍ୟବସ୍ଥା ମଧ୍ୟରେ ଏହି ବୁଝାମଣା କରାଯାଇଛି ।

ବୁଝାମଣାକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଅନୁମୋଦନ କରିଥିଲା । ତେଣୁ ଏହି ବୁଝାମଣାକୁ ନେଇ କଂଗ୍ରେସ ଯେଉଁ ଅଭିଯୋଗ କରୁଛି ତାହା ଭିତ୍ତିହୀନ । ଭାରତରେ ରାଫେଲ ଯୁଦ୍ଧବିମାନ ତିଆରି ପାଇଁ ଫ୍ରାନ୍ସର ଡାସଲ୍ଟ ଆଭିଏସନ ଅନିଲ ଅମ୍ବାନୀଙ୍କ ନେତୃତ୍ୱ ରିଲାଏନ୍ସ ଡିଫେନ୍ସକୁ ସହଯୋଗୀ ଭାବେ ବାଛିବା ନେଇ କଂଗ୍ରେସ ଯେଉଁ ଅଭିଯୋଗ କରୁଛି ସେଥିରେ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ସୀତାରମଣ କହିଛନ୍ତି । ସେ କହିଛନ୍ତି ସରକାରଙ୍କ ଦ୍ୱାରା ହୋଇଥିବା ବୁଝାମଣା ବାବଦରେ ବିରୋଧୀ ଦଳ ଯାହା କିଛି ପ୍ରଶ୍ନ କରିପାରିବେ; ମାତ୍ର ଏକ କମ୍ପାନୀ ଅନ୍ୟ ଏକ କମ୍ପାନୀ ସହିତ ବୁଝାମଣା କରିବାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବା ଠିକ୍ ନୁହେଁ ।

କାରଣ ଏହା ପଛରେ ସରକାରଙ୍କର କୌଣସି ଭୂମିକା ନଥାଏ । ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍) ପରିବର୍ତ୍ତେ ରିଲାଏନ୍ସ ଡିଫେନ୍ସକୁ ସହଯୋଗୀ ବାଛିବା ନିଷ୍ପତ୍ତି ଡାସଲ୍ଟ ଆଭିଏସନ ଉପରେ ନିର୍ଭର କରେ । ନିଜର ବ୍ୟବସାୟ ପାଇଁ ଏକ କମ୍ପାନୀ କାହାକୁ ନିଜର ପସନ୍ଦ ମନେ କରିବ ସେଥିରେ ସରକାରଙ୍କର ହସ୍ତକ୍ଷେପ ନାହିଁ । ୟୁପିଏ ସରକାର ଯଦି ହାଲକୁ ଡାସଲ୍ଟର ସହଯୋଗୀ ଭାବେ ବାଛିବା ନେଇ ବୁଝାମଣା କରିଥିଲେ ତେବେ ଏହାକୁ କାହିଁକି କାର୍ଯ୍ୟକାରୀ କଲେ ନାହିଁ ବୋଲି ସୀତାରମଣ ପ୍ରଶ୍ନ କରିଛନ୍ତି । ହାଲ୍ ଓ ଡାସଲ୍ଟ ମଧ୍ୟରେ ବୁଝାମଣା ୯୫% ଚୂଡାନ୍ତ ହୋଇଥିବାବେଳେ ଏହା କାହିଁକି କାର୍ଯ୍ୟକାରୀ ହେଲା ନାହିଁ ତାର ଜବାବ କଂଗ୍ରେସ ଦେଉ ।

ରାଫେଲ ଯୁଦ୍ଧ ବିମାନ ନିର୍ମାଣ ପାଇଁ ରିଲାଏନ୍ସ ଡିଫେନ୍ସକୁ ଡାସଲ୍ଟ ଆଭିଏସନ ସହଯୋଗୀ ଭାବେ ବାଛିବାକୁ ନେଇ ବିବାଦ ଦେଖାଯାଇଛି । କଂଗ୍ରେସ ଅଭିଯୋଗ କରୁଛି ଯେ ଅନିଲ ଅମ୍ବାନୀଙ୍କୁ ଅନୁକମ୍ପା ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସର ଏପରି ଅଭିଯୋଗକୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନସୁଆ ଓଲାନ୍ଦେ ସମର୍ଥନ ଜଣାଇ କହିଥିଲେ ଯେ ରାଫେଲ ଯୁଦ୍ଧବିମାନ ନିର୍ମାଣ ଲାଗି ଡାସଲ୍ସ ଆଭିଏସନର ଅଂଶୀଦାର ଭାବେ ରିଲାଏନ୍ସ ଡିଫେନ୍ସକୁ ରଖିବା ନିଷ୍ପତ୍ତି ଭାରତ ସରକାରଙ୍କର ଥିଲା । ଏହା ପଛରେ ଫ୍ରାନ୍ସ ସରକାରଙ୍କର କୌଣସି ପ୍ରକାର ପସନ୍ଦ ନଥିଲା ।

error: Thank You Keep Visiting