ନୀରବ ମୋଦିଙ୍କ ୬୩୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମାଷ୍ଟରମାଇଣ୍ଡ ନୀରବ ମୋଦି ବିରୋଧରେ ନିଆଯାଇଛି ବଡ କାର୍ଯ୍ୟାନୁଷ୍ଠାନ । ଭାରତ ସମେତ ୫ଟି ଦେଶ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନୀରବ ମୋଦି ଓ ତାଙ୍କ ପରିବାରର ୬୩୭ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି । ପ୍ରପଟି, ଜୁଏଲରୀ, ଫ୍ଲାଟ୍ସ, ବ୍ୟାଙ୍କ ବାଲାନ୍ସ ଜବତ କରିଛି ଇଡି । ଭାରତ, ବ୍ରିଟେନ ଓ ଆମେରିକା ସମେତ ଅନ୍ୟ ବଡ ଦେଶରୁ ନୀରବଙ୍କ ସମ୍ପତ୍ତିକୁ ଇଡି ସିଜ୍ କରିଛି । ପ୍ରିଭେନ୍ସନ ଅଫ ମନି ଲଣ୍ଡ୍ରିଙ୍ଗ ମାମଲାରେ ନ୍ୟୁୟର୍କରେ ଇଡି ନୀରବ ମୋଦିଙ୍କ ୨୧୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।
ଏଥିସହ ଏହି ମାମଲାରେ ଅଭିଯୁକ୍ତ ଆଦିତ୍ୟ ନାନାବଟି ବିରୋଧରେ ଇଂଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଛି । ସୂଚନାନୁଯାୟୀ ଇଡି ବେଆଇନ ଅର୍ଥ କାରବାରର ଧାରା ୫ ଅନୁଯାୟୀ ସମ୍ପତ୍ତିକୁ ଆଟାଚ କରିଛି । ଆଟାଚ ହୋଇଥିବା ଏହି ଦୁଇଟି ସମ୍ପତ୍ତିର ମୂଲ୍ୟ ୨୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ବିଭିନ୍ନ ବୈଦେଶିକ ବ୍ୟାଙ୍କରେ ନୀରବ ମୋଦିଙ୍କ ନାମରେ ଥବା ୫ଟି ଆକାଉଣ୍ଟରେ ଥିବା ୨୭୮ କୋଟି ଟଙ୍କାକୁ ମଧ୍ୟ ଇଡି ଆଟାଚ କରିବା ସହିତ ଦକ୍ଷିଣ ମୁମ୍ବାଇରେ ଥିବା ୧୯.୫ କୋଟି ଟଙ୍କାର ଏକ ଫ୍ଲାଟକୁ ମଧ୍ୟ ଇଡି ଜବତ କରିଛି ।
ସେହିପରି ହଂକଂରୁ ଭାରତ ଆଣି ୨୨.୬୯ କୋଟି ଟଙ୍କାର ହୀରା ଅଳଙ୍କାରକୁ ମଧ୍ୟ ଇଡି ଆଟାଚ କରିଥିବା ଜଣାଯାଇଛି । ପ୍ରଖ୍ୟାତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୌକସି ପିଏନବି ସ୍କାମର ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ୧୪ ହଜାର କୋଟି ଟଙ୍କାର ଦୁର୍ନିତିର ପର୍ଦ୍ଦାଫାଶ ହେବା ପରେ ଦୁହେଁ ଦେଶ ଛାଡି ଫେରାର ହୋଇଯାଇଛନ୍ତି ।