ଏସ-୪୦୦ ଏବଂ ଥାର୍ଡ ମଧ୍ୟରେ ଥିବା ପାର୍ଥକ୍ୟ

Straight to the Point

ନୂଆଦିଲ୍ଲୀ: ରୁଷର ଏସ-୪୦୦ ଓ ଆମେରିକାର ଥାର୍ଡ(ଟର୍ମିନାଲ ହାଇ ଆଟିଚ୍ୟୁଡ୍ ଏରିଆ ଡିଫେନ୍ସ)ର କାର୍ଯ୍ୟକାରିତା ପ୍ରାୟତଃ ଏକା ହୋଇଥିଲେ ମଧ୍ୟ ଉଭୟଙ୍କ କ୍ଷମତାରେ ବ୍ୟାପକ ପ୍ରଭେଦ ରହିଛି । ଏସ-୪୦୦ ସିଷ୍ଟମ ୩୦୦କିମି ପର୍ଯ୍ୟନ୍ତ ଯେକୌଣସି କ୍ଷେପଣାସ୍ତ୍ରକୁ ଭେଦ କରିବାର କ୍ଷମତା ରଖିବା ସହ ଏକାଧିକ ଡିଫେନ୍ସ ସିଷ୍ଟମ ଦ୍ୱାରା କାର୍ଯ୍ୟ କରିପାରିବ । ଅପରପକ୍ଷରେ ଥାର୍ଡ ସିଙ୍ଗଲ ଲେୟାର ଡିଫେନ୍ସ ସିଷ୍ଟମ ୩ହଜାର ମିଟର ପ୍ରତି ସେକେଣ୍ଡରେ ଧାବମାନ ହେଉଥିବାବେଳେ ଏସ-୪୦୦ ପ୍ରତି ସେକେଣ୍ଡରେ ୪,୮୦୦ମିଟର ଗତି କରେ । ଏସ-୪୦୦ କ୍ଷେପଣାସ୍ତ୍ର ୧୦୦ପ୍ରକାର ଆକାଶମାର୍ଗର ଆକ୍ରମଣକୁ ଠାବ କରି ପାରୁଥିବାବେଳେ ଆମେରିକା ର୍ନିମିତ ଏଫ-୩୫ ୬ଯୁଦ୍ଧ ଜାହାଜକୁ ଏକକାଳୀନ ଧ୍ୱଂସ କରିବାର କ୍ଷମତା ରହିଛି ।

ଏସ-୪୦୦ ସିଷ୍ଟମ ୪୦୦କିମି ମଧ୍ୟରେ ଏକକାଳୀନ ୩ ଦିଗରେ ମିସାଇଲ ନିକ୍ଷେପ କରି ପାରୁଥିବାବେଳେ ଥାର୍ଡ ସିଷ୍ଟମ ଶତ୍ରୁ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ଅପେକ୍ଷା ନିଜ ଯୁଦ୍ଧ ଜାହାଜକୁ ସୁରକ୍ଷା ଦେବାରେ ଅଧିକ ପାରଦର୍ଶିତା ଅର୍ଜନ କରିଛି । ଆମେରିକାର ଥାର୍ଡ ଡିଫେନ୍ସ ସିଷ୍ଟମରେ ବ୍ୟବହୃତ କ୍ଷେପଣାସ୍ତ୍ରରେ ବିସ୍ଫୋରଣ କରିବାର କ୍ଷମତା ନାହିଁ । ଥାର୍ଡ କେବଳ ଟାର୍ଗେଟ କ୍ଷେପଣାସ୍ତ୍ର ଆଡ଼କୁ ଦ୍ରୁତ ବେଗରେ ଯାଇ ପିଟି ହୋଇ ଶତ୍ରୁ କ୍ଷେପଣାସ୍ତ୍ରକୁ ଆକାଶରେ ବିସ୍ଫୋରଣ କରିବାକୁ ସକ୍ଷମ ହୋଇଥାଏ । ଅପରପକ୍ଷରେ ଏସ-୪୦୦ କ୍ଷେପଣାସ୍ତ୍ର ଦ୍ୱାରା ଏକକାଳୀନ ୩ଟି କ୍ଷେପଣାସ୍ତ୍ର ଛାଡ଼ି ହୁଏ । ଏସ-୪୦୦ ମିସାଇଲ ସିଷ୍ଟମର ଗୋଟିଏ ସେଟରେ ୭୨ଟି ଆଣ୍ଟିସେପ୍ଟର କ୍ଷେପଣାସ୍ତ୍ର ରହିବା ସହ ଏକକାଳୀନ ଏକାଧିକ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଥାଏ । ଏସ-୪୦୦ରେ ଏକକାଳୀନ ୩୬ଟି ଟାର୍ଗେଟକୁ ଧ୍ୱଂସ କରିହୁଏ । ଉଭୟ ବାଲାଷ୍ଟିକ ଓ କ୍ରୁଜ କ୍ଷେପଣାସ୍ତ୍ରକୁ ଧ୍ୱଂସ କରି ପାରୁଥିବା ଏସ-୪୦୦ ସିଷ୍ଟମ ସଫଳ ହୋଇଥିବାବେଳେ ଥାର୍ଡ଼ କେବଳ ଗୋଟିଏ ପ୍ରକାର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥାଏ ।

ଅପରପକ୍ଷରେ ଦେଖିବାକୁ ଗଲେ ଏସ-୪୦୦ ମାତ୍ର ୧୦ମିନିଟ ମଧ୍ୟରେ ଯେକୌଣସି ସ୍ଥାନରୁ ଉତକ୍ଷେପଣ କରାଯାଇ ପାରେ । ଏସ-୪୦୦ର ରେଞ୍ଜ ୧୫୦କିମି ହୋଇଥିବାବେଳେ ଥାର୍ଡ କେବଳ ୩୦କିମି ମଧ୍ୟରେ ଯେକୌଣସି ଲକ୍ଷ୍ୟକୁ ଭେଦ କରିଥାଏ । ଏସ-୪୦୦ରାଡାର ସିଷ୍ଟମ ୩୬୦ଡିଗ୍ରୀ ସ୍କାନ କରୁଥିବାବେଳେ ଥାର୍ଡ କେବଳ ୯୦ଡିଗ୍ରୀ ସ୍କାନ କରିଥାଏ । ୫ଟି ଏସ-୪୦୦ ସିଷ୍ଟମକୁ ଚୀନ ପୂର୍ବରୁ ରୁଷ ନିକଟରୁ କିଣି ସାରିଥିବାବେଳେ ଭାରତ ପ୍ରଥମ ପର୍ଯ୍ୟାୟରେ ୫ଟି କିଣିବାକୁ ସ୍ଥିର କରିଛି । ଉଭୟ କ୍ଷେପଣାସ୍ତ୍ରର ମୂଲ୍ୟକୁ ତୁଳନା କଲେ ଥାର୍ଡ ମିସାଇଲ ୬ଟି ଲଞ୍ଚର ଓ ୮ଟି ଇଣ୍ଟରସେପ୍ଟରର ମୂଲ୍ୟ ୨ରୁ ୩ ଅରବ ଡଲାର ହୋଇଥିବାବେଳେ ଏସ-୪୦୦ ସିଷ୍ଟମର ୮ ଲଞ୍ଚର ୪ଇଣ୍ଟରସେପ୍ଟର କେବଳ ୫୦୦ମିଲିୟନ ଡଲାରରେ କ୍ରୟ କରିହେବ । ଏହାକୁ ତର୍ଜମା କଲେ ଥାର୍ଡ ତୁଳନାରେ ଏସ-୪୦୦ ୬ଗୁଣା ଶସ୍ତା ବୋଲି କୁହାଯାଇ ପାରେ ।

error: Thank You Keep Visiting