ଦାରିଦ୍ର‌୍ୟତାର କରୁଣ ପରିଣତି; ମା’ସହ ୫ ପିଲାଙ୍କ ଆତ୍ମହତ୍ୟା

Straight to the Point

ଭାବନଗର : ଗୁଜରାଟ ଭାବନଗର ଜିଲା ତଲାଜା ତହସିଲ ଅଧୀନ ପାଞ୍ଚପିପଲା ଗ୍ରାମରେ ଭୂତକୁ ଡରି ନିଜ ମା’ ସହ ୫ ପିଲା କୂଅକୁ ଡ଼େଇଁପଡ଼ିଥିବାବେଳେ ୪ପିଲାଙ୍କ ମୃତ୍ୟୁ ଘଟିଛି । କୂଅରୁ ମା’ ଓ ବଡ଼ଝିଅକୁ ଗ୍ରାମ ଲୋକ ଜୀବୀତ ଉଦ୍ଧାର କରିଛନ୍ତି । ସୂଚନା ପାଇ ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ୩ ପୁଅ ଏବଂ ଗୋଟିଏ ଝଅର ଶବ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ମା’ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫ ପିଲାଙ୍କ ମା’ ଗୀତା ବେନ୍ କହିଛନ୍ତି ଯେ ସେ ନିଜ ସ୍ୱାମୀ ସହ ମିଶି ଚାଷ କରନ୍ତି ।

ଦୁଇ ବର୍ଷ ହେବ ଭଲ ଭାବେ ବର୍ଷା ନହେବାରୁ ସଠିକ୍ ପରିମାଣର ଫସଲ ଉତ୍ପାଦନ ହେଉନଥିଲା । ଫଳରେ ତାଙ୍କ ପରିବାର ଏକ ପ୍ରକାର ଦାରିଦ୍ର‌୍ୟତା ମଧ୍ୟରେ ଗତି କରୁଥିଲା । ଏବେ କିଛି ଦିନ ହେବ ସେ ଭୂତ ଆଉ ପ୍ରେତଙ୍କ ସ୍ୱପ୍ନ ଦେଖୁଥିଲେ । ତାଙ୍କୁ ନିଦ ହେଉନଥିଲା । ତେଣୁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ପରେ ପିଲାଙ୍କର କ’ଣ ହେବ ଭାବି ସେ ନିଜ ସହ ପିଲାଙ୍କୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ । ମଙ୍ଗଳବାର ଦିନ ସେ ପ୍ରଥମେ ପିଲାଙ୍କୁ କୂଅକୁ ପକାଇବା ପରେ ନିଜେ କୂଅକୁ ଡେଇଁଥିଲେ । ପାଖରେ ଥିବା ଗ୍ରାମବାସୀ ଏହି ଦୃଶ୍ୟ ଦେଖି କୂଅକୁ ରଶି ପକାଇ ତାଙ୍କୁ ଓ ବଡ଼ ଝିଅକୁ ଉଦ୍ଧାର କରିଥିଲେ ।

ମହିଳାଙ୍କ ସ୍ୱାମୀ ଧର୍ମେଶି ଭାଇ ରାମ କହିଛନ୍ତି ଯେ ତାଙ୍କ ପତ୍ନୀ ଦେବୀଙ୍କ ଦର୍ଶନ ପାଇଁ ଯିବାକୁ କହିଥିଲେ । ତେଣୁ ସେ ଯିବାକୁ ଅନୁମତି ଦେଇଥିଲେ । ତାଙ୍କ ପତ୍ନୀ ସାଙ୍ଗରେ ନିଜ ବଡ଼ ଝିଅ ଶର୍ମିଷ୍ଠା, ଝିଅ ଅକ୍ଷିତା, ବଡ଼ ପୁଅ କୂଳଦୀପ, କାର୍ତ୍ତିକ ଏବଂ ସାନପୁଅ ରୁଦ୍ରକୁ ନେଇ ଯାଇଥିଲେ । କିନ୍ତୁ ବାଟରେ ଏକ କୂଅକୁ ଡ଼େଇଁ ପଡିଥିଲେ । ସେମାନଙ୍କ ମଧ୍ୟରୁ ୩ ପୁଅ ଓ ଗୋଟିଏ ଝିଅର ମୃତ୍ୟୁ ଘଟିଛି । ମା’ ସହ କେବଳ ବଡ଼ ଝିଅ ଶର୍ମିଷ୍ଠା ବଞ୍ଚିଯାଇଛି ।

error: Thank You Keep Visiting