ଆତଙ୍କବାଦୀ ହାଫିଜ ସୟିଦର ପୁଅ ଏବଂ ଜ୍ୱାଇଁ ପ୍ରାର୍ଥୀ

Straight to the Point

ଲାହୋର : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ୍‍ ଦ୍ୱାରା ପ୍ରତିଷ୍ଠିତ ଜମାତ ଉଦ୍‍ ଦାବା (ଜେୟୁଡ଼ି)ର ସହଯୋଗୀ ସଂଗଠନ ଆଲ୍ଲା-ଉ-ଆକବର ତେହରିକ (ଏଏଟି) ରାଜନୈତିକ ଦଳ ଚଳିତ ବର୍ଷ ପାକିସ୍ତାନର ଜାତୀୟ ଏବଂ ପ୍ରାଦେଶିକ ନିର୍ବାଚନରେ ଅଂଶଗ୍ରହଣ କରିବ। ଚଳିତ ବର୍ଷ ଜୁଲାଇ ୨୫ରେ ପାକିସ୍ତାନର ଜାତୀୟ ଏବଂ ପ୍ରାଦେଶିକ ବିଧାନସଭା ଆସନରେ ନିର୍ବାଚନ ହେବ। ଏହି ନିର୍ବାଚନ ପାଇଁ ଜେୟୁଡ଼ିର ୨୬୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ହାଫିଜ ସୟିଦ୍‍ର ପୁଅ ଏବଂ ଜ୍ୱାଇଁ ମଧ୍ୟ ରହିଛନ୍ତି। ଉଲ୍ଲେଖ ଯେ ହାଫିଜ୍‍ ସୟିଦଙ୍କୁ ଆମେରିକା ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା କରିବା ସହ ତାର ମୁଣ୍ଡ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରାଶି ଘୋଷଣା କରିଛି। ଏପଟେ ହାଫିଜ୍‍ ପାକିସ୍ତାନରେ ବେଧଡ଼କ ନିଜ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ହାଫିଜ୍‍ ମିଲି ମୁସଲିମ ଲିଗ (ଏମ୍‍ଏମ୍‍ଏଲ) ନାମକ ଏକ ରାଜନୈତିକ ଦଳ ଗଠନ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଥିଲେ। ପାକିସ୍ତାନ ନିର୍ବାଚନ କମିଶନ ଏମ୍‍ଏମ୍‍ଏଲକୁ ପଞ୍ଜିକରଣ କରିବାକୁ ମନା କରିଦେବା ପରେ ହାଫିଜ୍‍ ସୟିଦ୍‍ଙ୍କ ରାଜନୈତିକ ଜୀବନର ଅନ୍ତ ଘଟିବ ବୋଲି ଆଶା କରାଯାଉଥିଲା। ଜଣାଶୁଣା ନ ଥିବା ଆଲ୍ଲା-ଉ-ଆକବର ତେହରିକ (ଏଏଟି) ନାମକ ରାଜନୈତିକ ଦଳକୁ ଆଶ୍ରା କରି ହାଫିଜ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଜେୟୁଡ଼ି ଏବଂ ଏମ୍‍ଏମ୍‍ଏଲ୍‍ର ୨୬୫ ଜଣ ପ୍ରାର୍ଥୀ ଏଏଟି ମାଧ୍ୟମରେ ନିର୍ବାଚନ ଲଢିବାକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରେ ୮୦ ଜଣ ଜାତୀୟ ଏବଂ ୧୮୫ ଜଣ ପ୍ରାଦେଶିକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଏଟିର ନିର୍ବାଚନ ଚିହ୍ନ ଚୌକି (ଚେୟାର) ରହିଛି।

error: Thank You Keep Visiting