ଅଭିଯୁକ୍ତମାନେ ଜାମିନ ବଳରେ ବାହାରେ ବୁଲି ଅଭିଯୋଗ କରୁଛନ୍ତି : ମୋଦି

An Independent Media

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପ୍ରକ୍ରିୟା ଜୋରଦାର ଚାଲିଥିବାବେଳେ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଝଡ଼ ବହିବାରେ ଲାଗିଛି । ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିମୁଦ୍ରାୟନ ମୋଦୀ ସରକାରଙ୍କ ସବୁଠାରୁ ବଡ଼ ବିଫଳତା ବୋଲି ପ୍ରଚାର କରୁଥିବାବେଳେ ଏହାର ଉତ୍ତର ରଖିଛନ୍ତି ମୋଦୀ । ସୋମବାର ଛତିଶଗଡ଼ର ବିଳାଶପୁରଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ।

ଯେଉଁ ଲୋକମାନେ ବିମୁଦ୍ରାୟନର ହିସାବ ମାଗୁଛନ୍ତି, ଆଜି ବିମୁଦ୍ରାୟନ ପାଇଁ ଜାଲ କମ୍ପାନୀଗୁଡ଼ିକର ପର୍ଦାଫାସ ହୋଇ ପାରିଛି । ଫଳରେ ସେହି ଲୋକମାନଙ୍କ ଜାଲିଆତି ଧରାପଡ଼ିଲା, ଓ ସେମାନେ ଜାମିନ ବଳରେ ବାହାରେ ଚଳପ୍ରଚଳ କରୁଛନ୍ତି ବୋଲି ମୋଦୀ ପାଲଟା ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧି ବାରମ୍ବାର ବିଭିନ୍ନ ନିର୍ବାଚନ ପ୍ରଚାର ଭାଷଣରେ ମୋଦୀଙ୍କ ବିମୁଦ୍ରାୟନକୁ ସମାଲୋଚନା କରୁଥିଲେ । ନିର୍ବାଚନ ପୂର୍ବରୁ ମୋଦୀ ଭ୍ରଷ୍ଟାଚାର, ନିଯୁକ୍ତିର କଥା କହୁଥିଲେ, ଏବେ ଝାଡ଼ୁ ମାର, ପକୁଡ଼ି ଛାଣ, ହେଲେ ବିମୁଦ୍ରାୟନ ସମ୍ପର୍କରେ ପଦୁଟିଏ କଥା କହୁ ନାହାନ୍ତି, ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ।

ମୋଦୀ ତାଙ୍କ ଭାଷଣରେ ଯେଉଁ ମା’ ପୁଅ ଟଙ୍କା ହେରଫେର ଅଭିଯୋଗରେ ଜାମିନରେ ବୁଲୁଛନ୍ତି ସେମାନେ ମୋଦୀଙ୍କୁ ପ୍ରମାଣ ପତ୍ର ଦେଉଛନ୍ତି ବୋଲି ପାଲଟା ଆକ୍ରମଣ କରିଛନ୍ତି । ସେ ଆହୁରି କହିଛନ୍ତି ବିକାଶ ପାଇଁ ପୂର୍ବରୁ ମଧ୍ୟ ଟଙ୍କା ବ୍ୟୟ ବରାଦ ହେଉଥିଲା, ହେଲେ ତାହା ବିକାଶ ପାଇଁ ବ୍ୟବହୃତ ନହୋଇ ଲୋକଙ୍କ ଖଟ ତଳେ ଲୁଚି ଯାଉଥିଲା । ବିମୁଦ୍ରାୟନ ଫଳରେ ଏହି ଟଙ୍କା ଖଟ ତଳୁ ବାହାରି ପାରିଛି । ଏହି ଅର୍ଥ ଆଜି ଦେଶର ବିକାଶରେ ବ୍ୟବହୃତ ହେଉଛି । କଂଗ୍ରେସର ଜଣେ ପ୍ରଧାନମନ୍ତ୍ରୀ କହିଥିଲେ ଦିଲ୍ଲୀରୁ ୧ଟଙ୍କା ବାହାରିଲେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚୁ ପହଞ୍ଚୁ ୧୫ପଇସା ହୋଇଯାଉଛି । ଅବଶିଷ୍ଟ ୮୫ ପଇସା କୁଆଡ଼େ ଯାଉଛି ତାହା ଜଣା ପଡ଼ୁ ନାହିଁ । ବିମୁଦ୍ରାୟନ ଫଳରେ ଏହି ଟଙ୍କା ଲୋକଙ୍କ ପାଇଁ ବ୍ୟବହୃତ ହୋଇ ପାରୁଛି ବୋଲି ମୋଦୀ ଯୁକ୍ତି ଦର୍ଶାଇଥିଲେ ।

error: Thank You Keep Visiting