୨୫ ନୂଆ ପ୍ରାର୍ଥୀକୁ ନେଇ ରାଜସ୍ଥାନର ନିର୍ବାଚନ ମଇଦାନକୁ ଓହ୍ଲାଇବ ବିଜେପି

An Independent Media

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପରେ ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଏହି ପ୍ରାର୍ଥୀ ତାଲକା ଘୋଷଣା କରିଛନ୍ତି । ତାଲିକାରେ ୨୫ ଜଣ ନୂଆ ମୁହଁ ଦେଖିବାକୁ ମିିଳିଛି । ୮୫ ଜଣ ବିଧାୟକ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ପ୍ରାର୍ଥୀ ତାଲିକା ଅନୁଯାୟୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଝଲରାପଟନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ୨୦୦୩ ରୁ ସେ ସେହି ଆସନରୁ ନିର୍ବାଚନ ଲଢ଼ି ଆସୁଛନ୍ତି ।

ତାଲିକାରୁ ଏକାଧିକ ମନ୍ତ୍ରୀ ଓ ବିଧାୟକ ବାଦ୍ ପଡ଼ିଥିବାବେଳେ କେତେକଙ୍କ ଆସନରେ ପରିବର୍ତ୍ତନ କରାଯାଇଛି । ବାଚସ୍ପତି କୈଳାସ ମେଘାୱାଲଙ୍କ ନିର୍ବାଚନ ମଣ୍ଡଳିକୁ ଶାହପୁରରୁ ପିଲାନିକୁ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନର ପରିସ୍ଥିତି ଅନୁସାରେ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି । ତେଣୁ କୌଣସି ବି ବିକଳ୍ପକୁ ହାତଛଡ଼ା କରିବାକୁ ଚାହୁଁନି ବିଜେପି । ୨୦୧୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୨୦୦ ଆସନରୁ ବିଜେପି ୧୬୩ଟି ଆସନରେ ବିଜୟ ଲାଭକରି ସରକାର ଗଠନ କରିଥିଲା । କିନ୍ତୁ ପ୍ରତି ନିର୍ବାଚନରେ ରାଜସ୍ଥାନର ଭୋଟଦାତା ଦଳ ପରିବର୍ତ୍ତନ କରିବାର ସନ୍ଦେଶ ଦେଇ ଆସିଥିବାରୁ ଆସନ୍ତା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ରାଜସ୍ଥାନର ଚିରାଚରିତ ଦଳ ପରିବର୍ତ୍ତନ ମତଦାନର ଧାରାକୁ ଭାଙ୍ଗିବାକୁ ବିଜେପି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି । ତେବେ ବିଜେପିର ଏହି ରଣ କୌଶଳ ନୀତି କେତେ ସଫଳ ହେବ ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ ।

error: Thank You Keep Visiting