ଛତିଶଗଡ ନିର୍ବାଚନ : ମାଓ ଆକ୍ରମଣ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୭୦% ମତଦାନ

An Independent Media

ରାୟପୁର : ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦% ମତଦାନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ମାଓ ଅଧ୍ୟୁଷିତ ଜିଲାର ୧୮ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହୋଇଥିଲା । ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୁଇଜି ନିର୍ବାଚନମଣ୍ଡଳୀରେ ସର୍ବାଧିକ ୭୨% ମତଦାନ ହୋଇଥିବାବେଳେ ଦାନ୍ତେୱାଡାରେ ସର୍ବନିମ୍ନ ୪୯% ମତଦାନ ହୋଇଛି । ମାଓବାଦୀ ଅଧ୍ୟୁଷିତ ୧୦ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲାବେଳେ ଅନ୍ୟ ୮ଟି କେନ୍ଦ୍ରରେ ସକାଳ ୮ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା ।

ନିର୍ବାଚନ ସମୟରେ ମାତ୍ର ୧% ଇଭିଏମ୍ ଓ ୧.୯% ଭିଭିପାଟକୁ ଯାନ୍ତ୍ରିକ ତ୍ରୁଟି ପାଇଁ ପରିବର୍ତ୍ତନ କରାଯାଇଥିଲା । ମାଓବାଦୀଙ୍କ ଭୋଟ ବର୍ଜନ ଧମକ ସତ୍ତେ୍ୱ ବହୁ ପରିମାଣର ମତଦାନ ହୋଇଥିବା ଜଣାଯାଇଛି । ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ୧ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ । ଏଥିରୁ ୬୫୦୦୦ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଯବାନ ଓ ୨୦୦ ରାଜ୍ୟ ପୁଲିସ କର୍ମଚାରୀ ଥିଲେ । ନଭେମ୍ବର ୨୦ରେ ରାଜ୍ୟର ଅନ୍ୟ ୭୨ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଡିସେମ୍ବର ୧୧ରେ ଭୋଟ ଗଣତି ହେବ । ଏପରିକି ୨୦୧୪ ଡିସେମ୍ବରରେ ଆତ୍ମସମର୍ପଣ କରିଥିବା ଏକ ମାଓ ଦମ୍ପତି ମୈନୁରାମ ଓ ରଜବତୀ ଆଜି ମତଦାନ କରିଥିଲେ । ସ୍ୱତନ୍ତ୍ର ଡିଜିପି ଡିଏମ୍ ଆୱାସ୍ଥିଙ୍କ କହିବା ଅନୁଯାୟୀ, ଗୁଳିବିନିମୟ ସ୍ଥଳରେ ୪ରୁ ୫ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି; ମୃତଦେହ ସଂଗ୍ରହ କରାଯାଇପାରି ନାହିଁ ।

ଏହା ପୂର୍ବରୁ ନାୟାନାର ଗ୍ରାମରେ ସିଆରପିଏଫ୍ ଯବାନଙ୍କୁ ନିଶାଣ କରି ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ; ମାତ୍ର ଏହି ବିସ୍ଫୋରଣରେ କୌଣସି ଯବାନ ମୃତ କିମ୍ବା ଆହତ ହୋଇ ନଥିଲେ । ସୁରକ୍ଷାକର୍ମୀମାନେ ଏକ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ସେମାନଙ୍କୁ ଲକ୍ଷ୍ୟ କରି ମାଓବାଦୀମାନେ ବିସ୍ଫୋରଣ ଘଟାଇଥିଲେ । ସେହିପରି ମତଦାନ ଶେଷ ପରେ ସନ୍ଧ୍ୟା ୫ଟା ୩୦ରେ ଫେରୁଥିବା ପୁଲିଂ ପାର୍ଟି ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ । ପୁଲିଂ ପାର୍ଟି ସହିତ ଥିବା ସୁରକ୍ଷାକର୍ମୀଙ୍କ ସହିତ ମାଓବାଦୀଙ୍କର ଗୁଳିବିନିମୟ ହୋଇଥିଲା । ସୁକମା ଜିଲାର ବସ୍ତର ଅଞ୍ଚଳରେ ହୋଇଥିବା ଏହି ଗୁଳିବିନିମୟରେ ୨ଜଣ ମାଓବାଦୀ ପ୍ରାଣ ହରାଇଥିବା ସ୍ୱତନ୍ତ୍ର ଡିଜିପି ଆୱାସ୍ଥି କହିଛନ୍ତି ।

error: Thank You Keep Visiting