ଆଗକୁ କଣ୍ଟକିତ ହେବ ପ୍ରତିଶ୍ରୁତି

Straight to the Point

ଓଡ଼ିଶା ଜର୍ଣ୍ଣାଲ: ଦେଶର ୫ଟି ରାଜ୍ୟରେ ୨୦୧୮ ଶେଷ ପୂର୍ବରୁ ବିଧାନସଭା ନିର୍ବାଚନ ହୋଇସାରିଛି । ଏହି ରାଜ୍ୟଗୁଡିକ ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମିଜୋରାମ ଓ ତେଲେଙ୍ଗାନା ରହିଛି । ଏହିସବୁ ରାଜ୍ୟରେ ବିଧାନସଭା ଫଳାଫଳ ୧୦୦ ପ୍ରତିଶତ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କୁ ନିରାଶ କରିଥିବାବେଳେ ୫ରୁ ୩ଟି ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସକୁ ଉତ୍ସାହିତ କରିଛି । କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସରକାର ଗଠନ କରିସାରିଛି । ଯଦିଓ ମଧ୍ୟପ୍ରଦେଶ ଓ ଛତିାଗଡ଼ରେ ସରକାର ଗଠନକୁ ନେଇ କଂଗ୍ରେସ ପାଇଁ କିଛିଟା ଅସୁବିଧା ଉତ୍ପନ ହୋଇଥିଲା, ତାହା ଅନ୍ୟ ଦଳମାନେ ପୂରଣ କରିସାରିଛନ୍ତି । ଯାହା ଫଳରେ ଏହି ଦୁଇ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାରେ ସଫଳ ହୋଇଛି । ହେଲେ ତେଲେଙ୍ଗାନା ଓ ମିଜୋରମରେ ବିଜେପି ଏବଂ କଂଗ୍ରେସ ଆଶାତିତ ଫଳ ପାଇ ପାରିନାହାଁନ୍ତି ।

ମିଜୋରାମରେ ଆଞ୍ଚଳିକ ଦଳ ବହୁମତ ହାସଲ କରି ସରକାର ଗଠନ କରିଥିବାବେଳେ, ତେଲେଙ୍ଗାନାରେ ପୂର୍ବ ସରକାର କେସିଆର ସରକାର ଗଠନ କରିଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ୫ଟି ରାଜ୍ୟର ଫଳାଫଳ ଦେଶର ଅନ୍ୟ କେତେକ ରାଜ୍ୟକୁ ପ୍ରଭାବିତ କରିଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ଼ କରିବ ବୋଲି ଦଳୀୟ ଇସ୍ତହାରରେ ଘୋଷଣା କରିଥିଲେ । ସେ ଏହି ପ୍ରସଙ୍ଗକୁ ଆୟୁଧ କରି ବାରମ୍ବାର ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ଶେଷରେ ନିର୍ବାଚନ ଫଳାଫଳ ତାଙ୍କ ଦଳ ସପକ୍ଷରେ ଯାଇଛି । କଂଗ୍ରେସ ୩ଟି ରାଜ୍ୟ- ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନ ଜିତି ସରକାର ଗଠନ କରିଛି । ସରକାର ଗଠନ କରିବା ପରେ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିଦେଇଥିଲେ । ଏଥିରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଛରେ ପଡ଼ିନଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା କୃଷକମାନଙ୍କୁ ସହାନୁଭୂତି ପ୍ରଦର୍ଶନ କରିବା ସହିତ କୃଷି ଋଣ ଛାଡ଼ କରିବା ପାଇଁ ଘୋଷଣା କରିଥିଲେ । ଏହାର କିଛି ଦିନ ପରେ ନିକଟରେ ରାଜସ୍ଥାନ ଗାଦି ଅକ୍ତିଆର କରିଥିବା କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ପଥକୁ ଅନୁସରଣ କରି କୃଷି ଋଣ ଛାଡ଼ର ଘୋଷଣା କରିଥିଲେ । ଏହାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବାଃ ବାଃ ନେବା ସହିତ ଦଳ ସର୍ତ୍ତ ପୂରଣ କରିଥିବାକୁ ନେଇ ଖୁସି ଜାହିର କରିଥିଲେ । ଏହି ଘୋଷଣାର ପ୍ରଭାବ ତତ୍କ୍ଷଣାତ୍ ଅନ୍ୟ ରାଜ୍ୟ ଉପରେ ପଡ଼ିଥିଲା । ବିଜେପି ଶାସିତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।

କୃଷିକୁ ଅଣଦେଖା କରିଥିବା କାରଣ ପାଇଁ ବିଜେପି ହାତରୁ ୩ଟି ରାଜ୍ୟ ଚାଲିଯିବା ଆଲୋଚନାର ବିଷୟ ପାଲଟିଥିଲା । ବିଜେପି ଶିବିରରେ ଏହାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଯାଇଥିଲା । ଏହି ସମୟ ମଧ୍ୟରେ ବିଜେପି ଶାସିତ ଆସାମ ଓ ଗୁଜରାଟ ସରକାର କୃଷି ଋଣ ଛାଡ଼ କରିବାକୁ ବାଧ୍ୟ ହେବା ସହିତ ଘୋଷଣା କରିଥିଲେ । ଏହାପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ କୃଷକମାନଙ୍କ ପାଇଁ ତାଙ୍କର ଉଦାରତା ଦେଖାଇଥିଲେ । ୫ଟି ରାଜ୍ୟର ଫଳାଫଳ ଘୋଷଣା ପରେ ଏହାର ରାଜନୈତିକ ଛବି ଓଡ଼ିଶାରେ ପ୍ରତିଫଳନ ହେବାକୁ ଲାଗିଥିଲା । ବିରୋଧୀ ଦଳଗୁଡିକ କୃଷି ଋଣ ଛାଡ଼ ପ୍ରସଙ୍ଗକୁ ନେଇ ବିଜେଡ଼ି ସରକାରଙ୍କୁ ଘେରିବାକୁ ଲାଗିଥିଲେ । ହେଲେ ରାଜନୈତିକ ଗୋଟି ଚାଳନାରେ ନିପୂଣ ନବୀନ ସରକାର ଏଥିପ୍ରତି କର୍ଣ୍ଣପାତ ନକରି ତାଙ୍କର ଚିରାଚରିତ କାର୍ଯ୍ୟରେ ମନୋନିବେଶ କରିଥିଲେ । ଆଗକୁ ୨୦୧୯ ନିର୍ବାଚନ ଉଙ୍କି ମାରୁଥିବାବେଳେ ୫ଟି ରାଜ୍ୟରେ ସମାପ୍ତ ହୋଇଥିବା ନିର୍ବାଚନ ଫଳାଫଳ ବାକି ସବୁ ରାଜ୍ୟର ଚିତ୍ରପଟ୍ଟ ବଦଳାଇ ଦେବ ବୋଲି ଆଶା କରାଯାଉଛି । ଏହାକୁ ନେଇ କେତେକ ରାଜନୈତିକ ବିଶେଷଜ୍ଞ ପୂର୍ବରୁ ମତପୋଷଣ କରିସାରିଛନ୍ତି । ହେଲେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସରକାରଙ୍କ ବାଃବାଃ ଏବେ ତାଙ୍କ ଗଳାରେ ମାଛ କଣ୍ଟା ଅଟକିବା ଭଳି ଘଟଣାରେ ପରିଣତ ହେବାକୁ ଯାଉଛି । ସାଧାରଣତଃ ରାଜ୍ୟ ସରକାର ଚଳିତ ଓ ଆସନ୍ତା ବର୍ଷର ଆବଣ୍ଟିତ ମୋଟ ପାଣ୍ଠିକୁ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଦୁଇ ରାଜ୍ୟରେ ପୂର୍ବରୁ ଥିବା ବିଜେପି ସରକାର ମୋଟ ଅର୍ଥର ୭୦ ପ୍ରତିଶତ ୭ମାସରେ ଖର୍ଚ୍ଚ କରିଦେଇଛନ୍ତି ।

ବାକି ବଳକା ଅର୍ଥରେ ଏହି ଦୁଇ ରାଜ୍ୟର ସରକାର ଘୋଷଣା କରିଥିବାବ ପ୍ରତିଶ୍ରୁତିକୁ କିଭଳି ପାଳନ କରିବେ, ତାହା ଏବେ ତାଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ । କୁହାଯାଉଛି ଯେ, ଏହି ଦୁଇ ରାଜ୍ୟର ନୂତନ ସରକାର ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଅନ୍ୟ କୌଣସି ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେବେ । ଯଦି ୨୦୧୯ ନିର୍ବାଚନ ପୂର୍ବରୁ ଏହା କୌଣସି କାରଣ ପାଇଁ ପ୍ରତିଫଳିତ ହୁଏ ତେବେ, ତାହା କଂଗ୍ରେସ ପାଇଁ ଅଡ଼ୁଆ ହେବା ସହିତ ଅନ୍ୟ ସବୁ ରାଜ୍ୟର ରାଜନୈତିକ ଅଙ୍କକଷାକୁ ପ୍ରଭାବିତ କରିପାରେ ।

error: Thank You Keep Visiting