ଅଭିନନ୍ଦନଙ୍କୁ ତୁରନ୍ତ ସୁରକ୍ଷିତ ଫେରାଇବାକୁ ଦାବିକଲା ଭାରତ

Straight to the Point

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ପାଇଲଟଙ୍କୁ ସୁରକ୍ଷିତ ଭାବେ ତୁରନ୍ତ ଭାରତକୁ ଫେରାଇ ଦେବା ପାଇଁ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର କାର୍ୟ୍ୟକାରୀ ଉପ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରାଯାଇ ଅବଗତ କରାଇଛି। ଭାରତୀୟ ବାୟୁସେନାର ପାଇଲଟ ସୁରକ୍ଷିତ ଓ ନିରାପଦ ଭାବେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶା କରାଯାଉଛି ବୋଲି ଉପ ଉଚ୍ଚାୟୁକ୍ତ ସୟଦ ହାଇଦର ଶାହାଙ୍କୁ ଭାରତ ଜଣାଇଛି।

ସୂଚନାଯୋଗ୍ୟ,ପାକିସ୍ତାନ ଯୁଦ୍ଧ ବିମାନ ବୁଧବାର ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରି ସୀମାନ୍ତରେ ବୋମା ପକାଇଥିଲା।ଜବାବୀ କାର୍ୟ୍ୟାନୁଷ୍ଠାନରେ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନ ଧ୍ୱଂସ ହୋଇଯାଇଛି। ତେବେ ଏହି ସମୟରେ ଭାରତର ଏକ ମିଗ୍-୨୧ ଯୁଦ୍ଧ ବିମାନ ନଷ୍ଟ ହୋଇଛି। ଭାରତର ଜଣେ ପାଇଲଟକୁ ପାକିସ୍ତାନ ଧରିଥିବା ଦାବି କରିଛି।

ଅନ୍ୟପକ୍ଷରେ ଭାରତ ସରକାର ଜଣେ ପାଇଲଟ ନିଖୋଜ ଥିବା ସ୍ୱୀକାର କରିଛନ୍ତି। ଏହାର ତଦନ୍ତ ଜାରି ରହିଛି। ପାଇଲଟ ଜଣଙ୍କ ହେଉଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବଂ ତାଙ୍କ ସର୍ଭିସ ନମ୍ବର ହେଉଛି ୨୭୯୮୧। ୩୫ ବର୍ଷିୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଚେନ୍ନାଇ ନିକଟରେ ଥିବା ସେଲାପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ୨୦୦୪ ମସିହାରେ ସେ ବାୟୁସେନାରେ ଫ୍ଲାଇଙ୍ଗ ଅଫିସର ଭେବେ ନିଯୁକ୍ତି ହୋଇଥିଲା।