ଲାଡେନଙ୍କ ପୁଅର ଠିକଣାଦାତାଙ୍କ ପାଇଁ ଆମେରିକା ୭୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା
ୱାଶିଂଟନ: ଆମେରିକା ଉପରେ ପ୍ରତିଶୋଧ ନେବାକୁ ଧମକ ଦେଇଛନ୍ତି ଓସାମା ବିନ୍ ଲାଡେନଙ୍କ ପୁଅ ହାମଜା ବିନ୍ ଲାଡେନ। ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସେ ଆମେରିକା ଉପରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଆମେରିକା ଏବେ ହାମଜାଙ୍କୁ ଖୋଜିବାରେ ଲାଗି ପଡ଼ିଛି। ହାମଜାଙ୍କ ଠିକଣାଦାତାଙ୍କ ପାଇଁ ଆମେରିକା ୭୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।
ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ପୁରସ୍କାର ଘୋଷଣା କରିବା ଅବସରରେ କହିଛି ଯେ, ହାମଜା ଆମେରିକା ଏବଂ ତା’ର ସହଯୋଗୀ ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏ ନେଇ ସେ ଧମକ ଦେଇଛନ୍ତି। ଆମେରିକା ତାଙ୍କ ବାପା ଓସାମାଙ୍କୁ ପାକିସ୍ତାନର ଆବୋଟାବାଦରେ ହତ୍ୟା କରିଥିଲା। ଏହାର ପ୍ରତିଶୋଧ ନେବାକୁ ସେ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି। ତେବେ ହାମଜା କିଛିଦିନ ତଳେ ବିବାହ କରିଛନ୍ତି। ଆମେରିକାସ୍ଥିତ ବିଶ୍ଵ ବାଣିଜ୍ୟ କେନ୍ଦ୍ରରେ ୨୦୦୧ ସେପ୍ଟେମ୍ବର ୧୧ରେ ଅଲକାଏଦା ପକ୍ଷରୁ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପାଇଁ ବିମାନ ହାଇଜ୍ୟାକ କରିଥିବା ମହମ୍ମଦ ଅଟ୍ଟାଙ୍କ ଝିଅକୁ ଓସାମାଙ୍କ ପୁଅ ହାମଜା ବିବାହ କରିଛନ୍ତି।