ଭାରତ ଉପରେ ପ୍ରତିଶୋଧ ନେବା ନିଆଁରେ ଜଳୁଛି ଆତଙ୍କବାତୀ ସଂଗଠନ ଜୈଶ
ନୂଆଦିଲ୍ଲୀ: ଗତ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜୈଶ ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ବର୍ତ୍ତମାନ ଏହାର ପ୍ରତିଶୋଧ ନେବାକୁ ଜୈଶ ସଂଗଠନ ଧମକ ଦେଇଛି। ଜୈଶ ଆକ୍ରମଣ କରିବା ଲାଗି ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି। ପୂର୍ବରୁ ଦିଲ୍ଲୀ ସମେତ ୨୯ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବାକୁ ଜୈଶ ଧମକ ଦେଇଥିଲା। ଏହା ପରେ ରାଜଧାନୀ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଥିବାବେଳେ ସୁରକ୍ଷା କର୍ମୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ସମ୍ପୃକ୍ତ ଅଧିକାରୀଙ୍କ କହିବା ଅନୁଯାୟୀ, ଜୈଶ ସଂଗଠନ ପୂର୍ବରୁ ଲଗାତର ଆକ୍ରମଣ କରିବାର ନଜର ରହିଛି। ୨୦୦୧ ଅକ୍ଟୋବରରେ ଏହି ସଂଗଠନ ଜାମ୍ମୁ-କାଶ୍ମୀର ବିଧାନସଭାରେ ଆକ୍ରମଣ କରିଥିଲା। ଏହାର ୨ମାସ ମଧ୍ୟରେ ସମାନ ଢଙ୍ଗରେ ସଂସଦ ଉପରେ ଆକ୍ରମଣ କରିଥିଲା। ତେଣୁ ପୁଲୱାମା ଆକ୍ରମଣ ପରେ ପୁଣି ଅନୁରୂପ ଆକ୍ରମଣ କରିପାରେ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।