ପ୍ରେମ ପାଇଁ ବିଚାରପତି ନିଜେ ନିଜ ଝିଅକୁ ବନ୍ଧକ ରଖିଲେ

Straight to the Point

ବିହାରର ଖାଗରିଆ ଜିଲା ତଥା ସେସନ୍‍ ବିଚାରପତି ସୁବାଷ ଚନ୍ଦ୍ର ଚୌରାସିଆଙ୍କ ଝିଅ ଯଶସ୍ୱୀ ଚାଣକ୍ୟପୁରୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ସିଏନ୍‍ଏଲ୍‍ୟୁ)ରେ ଆଇନ ଡିଗ୍ରୀ ଲାଭ କରି ଦିଲ୍ଲୀରେ ଇଣ୍ଟର୍ଣ୍ଣଶିପ୍‍ କରିବା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ସୁପ୍ରିମକୋର୍ଟ ଓକିଲ ସିଦ୍ଧାର୍ଥ ବଂସଲଙ୍କୁ ସେ ଭଲପାଇ ବସିଥିଲେ। ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ। ଚଳିତବର୍ଷ ମେ’ ୨୬ରେ ଦିଲ୍ଲୀ ସିଭିଲ ସର୍ଭିସ୍‍ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଯଶସ୍ୱୀ ଓ ସିଦ୍ଧାର୍ଥଙ୍କର ସାକ୍ଷାତ ହୋଇଥିଲା। ଉଭୟ ଏକତ୍ର ବୁଲୁଥିବା ଦେଖି ଯଶସ୍ୱୀଙ୍କ ମା’ ଝିଅକୁ ନେଇ ନିଜ ଘରକୁ ଫେରିଆସିଥିଲେ। ଏହି କାରଣରୁ ଯଶସ୍ୱୀ ପରୀକ୍ଷା ମଧ୍ୟ ଦେଇ ପାରି ନ ଥିଲେ। କିଛି ଦିନ ପରେ ପିତା ତାଙ୍କୁ ବନ୍ଦୀ କରି ରଖିବା ସହ ମାଡ଼ ମାରୁଛନ୍ତି ବୋଲି ଯଶସ୍ୱୀ ଟେଲିଫୋନ୍‍ରେ ସିଦ୍ଧାର୍ଥଙ୍କୁ କହିଥିଲେ। ଏପରିକି ସେମାନେ ଟେଲିଫୋନ୍‍ରେ କଥା ହେଉଥିବା ଜଣେି ମା’ ରିସିଭର୍‍ ଛଡାଇ ନେବା ସହିତ ଯଶସ୍ୱୀଙ୍କୁ ଗାଳିଗୁଲଜ କରିବା ଶୁଣିବା ପରେ ସିଦ୍ଧାର୍ଥ ବିହାର ଚାଲିଆସିଥିଲେ, କିନ୍ତୁ ଏଠାରେ ପହଞ୍ଚିବା ପରେ ଯଶସ୍ୱୀଙ୍କ ପିତା ସେମାନଙ୍କୁ ଭେଟିବାକୁ ସୁଯୋଗ ଦେଇ ନ ଥିଲେ। ଏଥିସହ ଯଶସ୍ୱୀଙ୍କୁ ବିବାହ କରିବାକୁ ହେଲେ ପ୍ରଥମେ ବେସାମରିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ବୋଲି ସେ ସିଦ୍ଧାର୍ଥଙ୍କ ନିକଟରେ ସର୍ତ୍ତ ରଖିଥିଲେ। ଏହି ଘଟଣା ପରେ ଯଶସ୍ୱୀଙ୍କୁ ମୁକୁଳାଇବା ନିମନ୍ତେ ସିଦ୍ଧାର୍ଥ ବହୁ ଉଦ୍ୟମ କରିଥିଲେ। ଏହି ଘଟଣା ଜଣାପଡିବା ପରେ ହାଇକୋର୍ଟ ନିଜ ଆଡୁ ଏହାକୁ ବିଚାରକୁ ନେଇ କୋର୍ଟରେ ହାଜର ହେବା ନିମନ୍ତେ ଚୌରାସିଆଙ୍କୁ ସମନ ଜାରି କରିଥିଲେ। ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ପାଟନା ଏସ୍‍ପି ମନୁ ମହାରାଜ ଖଗରିଆରୁ ଯଶସ୍ୱୀଙ୍କୁ ଆଣି ପାଟନା ହାଇକୋର୍ଟରେ ମଙ୍ଗଳବାର ହାଜର କରିଥିଲେ। ସମସ୍ତ ବିଷୟ ଶୁଣିବା ପରେ ହାଇକୋର୍ଟ ଯଶସ୍ୱୀଙ୍କୁ ନିଜ ଇଚ୍ଛା ଅନୁସାରେ ଯେକୌଣସି ବ୍ୟକ୍ତିଙ୍କୁ ଭେଟିବା ନେଇ ଅନୁମତି ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ନିଜ ଅତିଥି ଭବନରେ ଆଶ୍ରୟ ଦେବାକୁ ଚାଣକ୍ୟପୁରୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ଅତିଥିଭବନରେ ରହଣି ବେଳେ ଯଶସ୍ୱୀଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ହାଇକୋର୍ଟ ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‍ ଏବଂ ବିଚାରପତି ରାଜୀବ ରଞ୍ଜନ ପ୍ରସାଦଙ୍କ ଖଣ୍ଡପୀଠ ପାଟଣା ପୁଲିସକୁ ନିର୍ଦେଶ ଦେଇଛନ୍ତି।

error: Thank You Keep Visiting