ବିଶ୍ଵ ସମୁଦାୟର ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ
ନୂଆଦିଲ୍ଲୀ: ଜୈଶ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାର ଉପରେ ପାକିସ୍ତାନର ଆଭିମୁଖ୍ୟ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି। ବିଶ୍ଵ ସମୁଦାୟର ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବା ସହିତ ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଏହା ମଧ୍ୟରେ ମାସୁଦକୁ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ଵ ଆତଙ୍କବାଦୀ ଘୋଷଣାରେ ଚୀନ ଯେଉଁ ପ୍ରତିବନ୍ଧକ ଲଗାଉଛି ତାହା ଉପରେ ପାକିସ୍ତାନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି।
ମାସୁଦକୁ ବିଶ୍ଵ ଆତଙ୍କବାଦୀ ତାଲିକାରେ ସାମିଲ ନ କରିବା ଲାଗି ଚୀନ ଯେଉଁ କେତେକ କାରଣ ଦର୍ଶାଉଛି ତାହାକୁ ପ୍ରତ୍ୟାହାର କରିନେବାକୁ ଇସଲାମାବାଦ ପକ୍ଷରୁ ଚୀନକୁ ପରାମର୍ଶ ଦିଆଯାଇଛି। ବାଲାକୋଟ ଆକ୍ରମଣ ପରେ ଭାରତ ସହ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିରେ ସୁଧାର ଆସିଥିବାରୁ ପାକିସ୍ତାନ ଚୀନକୁ ତାହାର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ କହିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ଵ ଯବାନ ସହିଦ ହୋଇଥିଲେ।
ଏହି ଆକ୍ରମଣ ପାଇଁ ଜୈଶ ସଂଗଠନ ନିଜକୁ ଦାୟୀ କରିଥିଲା। ଏହା ପରେ ବିଶ୍ଵବ୍ୟାପୀ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ମତପ୍ରକାଶ ପାଇଥିଲା। ସେପଟେ ଫ୍ରାନ୍ସ, ବ୍ରିଟେନ, ଆମେରିକା, ଭାରତ ପକ୍ଷରୁ ମାସୁଦକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ ହୋଇଥିଲା। ଗତ ମାର୍ଚ୍ଚ ୧୩ ତାରିଖରେ ଏହି ପ୍ରସ୍ତାବ ଉପରେ ଆଲୋଚନା ବେଳେ ଚୀନ ଏହାର ଭିଟୋ କ୍ଷମତା ବଳରେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ମାସୁଦକୁ ସୁରକ୍ଷା ଦେଇଥିଲା। ଏହା ପରେ ଆମେରିକା ବିକଳ୍ପ ପନ୍ଥା ଆପଣାଇବାକୁ ଯୋଜନା ଚଳାଇଛି।