ସଙ୍କଟରେ ଏଲଆଇସି;ବୀମା ରାଶି ବୁଡ଼ି ଯିବାର ସମ୍ଭାବନାକୁ ନେଇ ଚର୍ଚ୍ଚା

Straight to the Point

ନୂଆଦିଲ୍ଲୀ: ବୁଡ଼ି ଯାଉଥିବା ବ୍ୟାଙ୍କକୁ ପୁନରୁଦ୍ଧାର କରିବାକୁ ସରକାର ଏଲଆଇସିକୁ ଏହି ବ୍ୟାଙ୍କଗୁଡ଼ିକରେ ବିନିଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି। ଏଭଳି ପ୍ରକ୍ରିୟା ଦ୍ୱାରା ଏଲଆଇସିରେ ବିନିଯୋଗ କରିଥିବା ବୀମା ରାଶି ବୁଡ଼ି ଯିବାର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସମ୍ପ୍ରତି ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡ଼ିକ ଋଣ ଟଙ୍କା ଆଦାୟ କରି ନପାରି ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଥିବାବେଳେ ଏହି କ୍ଷତି ଭରଣ କରିବ ଏଲଆଇସି। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଏଲଆଇସିର ପୁଞ୍ଜି ବ୍ୟାଙ୍କ ଗୁଡ଼ିକ ପାଖକୁ ଚାଲିଆସିବ। ଆଗାମୀ ଦିନରେ ପୁଣି ଥରେ ଋଣ ଟଙ୍କା ବୁଡ଼ି ଗଲେ ଏଥର ଏଲଆଇସିର ପୁଞ୍ଜି ବୁଡ଼ିଯିବ ଏଥିରେ ସନ୍ଦେହ ନାହିଁ। ଏ ପାଇଁ ସରକାର କ’ଣ ଦାୟୀ ହେବେ? ଏହାକୁ ନେଇ ଉଠୁଛି ପ୍ରଶ୍ନ।
ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଆଇଡିବିଆଇ ବ୍ୟାଙ୍କ ସର୍ବାଧିକ ଏନପିଏ ଟଙ୍କା ବଜାରରେ ବୁଡ଼ାଇ ଦେଇଛି। ଏଭଳି ବ୍ୟାଙ୍କକୁ କାର୍ଯ୍ୟକ୍ଷମ କରିବାକୁ ଏହାକୁ ଏଲଆଇସିଠାରୁ ପୁଞ୍ଜି ଦେଇ ବ୍ୟାଙ୍କକୁ ଚଳଚଞ୍ଚଳ କରିବାକୁ ଯୋଜନା କରୁଛନ୍ତି ସରକାର। ଏହାର ଅର୍ଥ ନିଜ ଜୀବନଶୈଳୀକୁ ସୁରକ୍ଷିତ ରଖିବାକୁ ଆପଣମାନେ ଯେଉଁ ଟଙ୍କା ଏଲଆଇସିରେ ପ୍ରିମିୟମରେ ବିନିଯୋଗ କରୁଛନ୍ତି ସେହି ଟଙ୍କା ବୁଡ଼ି ଯାଉଥିବା ବ୍ୟାଙ୍କକୁ ପୁନର୍ଜୀବିତ କରିବାକୁ ଖର୍ଚ୍ଚ ହେବ। ସରକାରଙ୍କ ଏଭଳି ନିଷ୍ପତ୍ତି କ’ଣ ଏଲଆଇସି ଗ୍ରାହକଙ୍କୁ ସୁହାଇବ? ଆଇଡିବିଆଇ ବ୍ୟାଙ୍କର ଅବସ୍ଥା ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ସଜାଡ଼ି ଯିବ ଏହାର ଗ୍ୟାରେଣ୍ଟି କ’ଣ ସରକାର ନେବେ? ଯେଉଁ ଟଙ୍କା ଆପଣ ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ଏଲଆଇସିରେ ବିନିଯୋଗ କରୁଛନ୍ତି ତାହା କ’ଣ ବାସ୍ତବରେ ସୁରକ୍ଷିତ ରହିବ? ଏଭଳି ଏକାଧିକ ପ୍ରଶ୍ନ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଶଙ୍କା ମଧ୍ୟରେ ଚାଲି ଆସିଛି।
କେନ୍ଦ୍ର ସରକାରଙ୍କ ଏଭଳି ପ୍ରସ୍ତାବ ଇନସୁରେନ୍ସ ରେଗୁଲେଟରକୁ ଚୂଡ଼ାନ୍ତ ପାଇଁ ପ୍ରଦାନ କରାଯାଇଛି। ରେଗୁଲେଟର ଶୁକ୍ରବାର ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ୨୦୧୭ଆର୍ଥିକ ବର୍ଷରେ ଏଲଆଇସି ୧ଟ୍ରିଲିୟନ ଟଙ୍କାରୁ ଊଦ୍ଧ୍ୱର୍ ବଜାରକୁ ପ୍ରଦାନ କରିଥିଲା। ଏହି ଟଙ୍କା ବିନିମୟରେ ଏଲଆଇସି ପ୍ରାୟତଃ ବ୍ୟାଙ୍କର କିଛି କିଛି ସେୟାର କିଣି ନିଜ ପାଖରେ ରଖିଛି। ଅଥଚ ଯେଉଁ ବ୍ୟାଙ୍କ ସେୟାରକୁ ଏଲଆଇସି ଗ୍ୟାରେଣ୍ଟି ଭାବରେ ବଜାରରେ ଦେଇଥିବା ଟଙ୍କା ବିନିମୟରେ ରଖିଛି, ସେହି ବ୍ୟାଙ୍କଗୁଡ଼ିକ ନିଜ ଋଣ ଟଙ୍କା ଆଦାୟ କରି ନପାରି ଏବେ ଏନପିଏ ମୂଲ୍ୟ ବୃଦ୍ଧି କରିଚାଲିଛି। ଫଳରେ ବ୍ୟାଙ୍କୁ ଏନପିଏ ଜାଲରୁ ମୁକ୍ତ କରିବାକୁ ଏଲଆଇସିର ପୁଞ୍ଜିକୁ ବ୍ୟାଙ୍କକୁ ପ୍ରଦାନ କରିବା କେତେ ଦୂର ସୁରକ୍ଷିତ ଏହା ଚିନ୍ତାର ବିଷୟ ନିଶ୍ଚିତ।

error: Thank You Keep Visiting