ବିଧାନସଭା ନିର୍ବାଚନ ଲଢିବାକୁ ଆମ ଦଳ ପ୍ରସ୍ତୁତ: ରଜନୀକାନ୍ତ
ଚେନ୍ନଇ : ଅଭିନେତା ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ତାମିଲନାଡୁର ଆସନ୍ତା ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନ ଲଢିବାକୁ ତାଙ୍କ ଦଳ ପ୍ରସ୍ତୁତ ରହିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତା ବଜାୟ ରଖିବେ କି ନାହିଁ ପ୍ରଶ୍ନର ଉତ୍ତରରେ ରଜନୀକାନ୍ତ ମଇ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୦୪ ଲୋକସଭା ନିର୍ବାଚନରେ ରଜନୀକାନ୍ତ ଖୋଲାଖୋଲି ବିଜେପିକୁ ସମର୍ଥନ ଜଣାଇଥିଲେ। ମାତ୍ର ବିଜେପି ତାମିଲନାଡୁରେ ଗୋଟିଏ ବି ଆସନ ଜିତିପାରିନଥିଲା। ୨୦୨୧ରେ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ରଜନୀକାନ୍ତଙ୍କ ରାଜନୈତିକ ଦଳ ଗ୍ରାମାଞ୍ଚଳରେ ବି ସକ୍ରିୟ ହୋଇସାରିଥିବ ବୋଲି ଆଶା କରାଯାଉଛି।