ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ସୁପ୍ରିମକୋର୍ଟର ସାଧାରଣ ସଚିବ ସଞ୍ଜୀବ ସୁଧାକର କଲଗାଓଁକର କହିଛନ୍ତି। ଏପରି ଅଭିଯୋଗ ଅତ୍ୟନ୍ତ ଦୁର୍ଭାବନାପୂର୍ଣ୍ଣ। ଏହା ଉପରେ ଶୁଣାଣି ହେବ। ଏଥିପାଇଁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ହୋଇଛି ବୋଲି ସେ କହିଛନ୍ତି। ସେହିପରି ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ‘ମ୍ୟାଟର ଅଫ ଗ୍ରେଟ ପବ୍ଲିକ ଇମ୍ପୋର୍ଟାନ୍ସ ବା ମହାନ ସାର୍ବଜନିକ ମହତ୍ଵ ମାମଲା’ ଭାବେ ଦର୍ଶାଇଛନ୍ତି। ଶନିବାର ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗ ଉପରେ ଏକ ଜରୁରୀ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ବାରା ବିଚାରପତି ଅରୁଣ ମିଶ୍ରା ଏବଂ ସଞ୍ଜୀବ ଖାନାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ, ଆଜି ବିଚାର ବିଭାଗ ପ୍ରତି ଭୟଙ୍କର ବିପଦ ମାଡ଼ିଆସିଛି। ଏହା ଅବିଶ୍ଵସନୀୟ। ମୁଁ ଭାବୁନି ଏଭଳି ଏକ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ମୋତେ ଏତେ ତଳକୁ ଖସିବାକୁ ପଡ଼ିବ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ବିଚାର ବିଭାଗର ସ୍ବାଧୀନତାକୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଇଛି ବୋଲି ଗୋଗୋଇ କହିଛନ୍ତି। ମୁଁ ଆଗାମୀ ସପ୍ତାହରେ ଏକ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି କରିବାକୁ ଯାଉଛି, ତେଣୁ ମୋ ବିରୋଧରେ ଏପରି ଅଭିଯୋଗ କରାଯାଇଛି। ମୋର ଆଉ ୭ମାସ କାର୍ଯ୍ୟକାଳ ରହିଛି। ଏହା ଭିତରେ ମାମଲାଗୁଡ଼ିକର ଯେପରି ଶୁଣାଣି ହେବା କଥା ସେପରି ହେବ ବୋଲି ସେ କହିଛନ୍ତି।