ଭୋଟଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସା, ଟିଏମସିର ୩ କର୍ମଚାରୀ ଆହତ
କୋଲକାତା: ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି ହୋଇଛି। ମୁର୍ସିଦାବାଦର ଡୋମକାଲ ମ୍ୟୁନିସିପାଲଟି ଅନ୍ତର୍ଗତ ରାନୀ ନଗର ବୁଥ ନିକଟରେ ଟିଏମସି କର୍ମଚାରୀଙ୍କ ଉପରକୁ ବୋମାମାଡ଼ କରାଯାଇଛି। ଫଳରେ ୩ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ପରେ ଉକ୍ତ ପୋଲିଂ ବୁଥ୍କୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ସେହିପରି ରାଜ୍ୟର ଦକ୍ଷିଣ ମାଲଦା ନିର୍ବାଚନମଣ୍ଡଳୀରେ ଅନୁରୂପ ଏକ ଘଟଣା ଘଟିଛି। କାଲିଆଚକ୍ ଅଞ୍ଚଳରେ କେତେଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପୋଲିଂ ବୁଥ୍ ଉପରକୁ ବୋମାମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ହେଲମେଟ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇପାରି ନାହିଁ।