ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରଜାକଙ୍କୁ ଗିରଫ

Straight to the Point

କ୍ୱାଲାଲାମ୍ପୁର : ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରଜାକଙ୍କୁ ମଙ୍ଗଳବାର ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ମାଲେସିଆ ଦୁର୍ନୀତି ନିରୋଧୀ ଆୟୋଗ (ଏମଏସିସି) ପକ୍ଷରୁ କୁହାଯାଇଛି ଯେ ଦୁର୍ନୀତି ଓ ହେରଫେର ନେଇ ବାସଭବନରେ ତାଙ୍କୁ ପଚରାଉଚୁରା କରାଯାଇଥିଲା। ମଙ୍ଗଳବାର ଅପରାହ୍ନ ୨ଟା ୩୫ ମିନିଟରେ ତାଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ପଦରେ ଥିଲା ବେଳେ ୨୦୦୯ରେ ନଜୀବ ସରକାରୀ କମ୍ପାନୀ ଏମ୍‍ଡିବିରୁ ୭୦ କୋଟି ଡଲାର (ପ୍ରାୟ ୪୭୬୦ କୋଟି ଟଙ୍କା) ନିଜ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବାର ଅଭିଯୋଗ ହୋଇଥିଲା। ବୁଧବାର ନଜୀବଙ୍କୁ କ୍ୱାଲାଲାମ୍ପୁର ଅଦାଲତରେ ହାଜର କରାଯିବ।
ପ୍ରକାଶ ଯେ ଚଳିତ ବର୍ଷ ମଇ ମାସରେ ଅନୁଷ୍ଠିତ ନିର୍ବାଚନରେ ନଜୀବ ପରାସ୍ତ ହୋଇ ଗାଦିଚ୍ୟୁତ୍‍ ହୋଇଥିଲେ। ବହୁମତ ହାସଲ କରିଥିବା ମହାତିର ମୋହମ୍ମଦଙ୍କ ମେଣ୍ଟ ଦଳ ସରକାର ଗଢିବା ପରେ ନଜୀବଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସେବେଠାରୁ ତାଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
ଉଲ୍ଲେଖ ଯେ ପ୍ରାୟ ମାସେ ତଳେ ନଜୀବଙ୍କ ୬ଟି ବାସଭବନ ଉପରେ ମାଲେସିଆ ଦୁର୍ନୀତି ନିବାରଣ ବିଭାଗ ଓ ପୁଲିସ୍‍ ମିଳିତ ଚଢଉ କରି ୨୭ କୋଟି ୩୦ ଲକ୍ଷ ଡଲାର (ପ୍ରାୟ ୧୮୭୨ କୋଟି ଟଙ୍କା) ସମ୍ପତ୍ତି ଜବତ କରିଥିଲେ। ଏହା ମଧ୍ୟରେ ନଗଦ ଅର୍ଥ, ଅଳଙ୍କାର, ବିଳାସପୂର୍ଣ୍ଣ ହ୍ୟାଣ୍ଡବ୍ୟାଗ ଆଦି ରହିଥିଲା। ତେବେ ନଜୀବ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଜବତ ସମ୍ପତି ମୂଲ୍ୟକୁ ବହୁ ବଢାଇ ଚଢାଇ ଦେଖାଯାଇଥିବା ସେ ଅଭିଯୋଗ କରିଛନ୍ତି।

error: Thank You Keep Visiting