ସୁପ୍ରିମକୋର୍ଟଙ୍କ ପୁଲିସ ସଂସ୍କାର: ମନମାନି ଆଉ ଚଳିବନି

Straight to the Point

ନୂଆଦିଲ୍ଲୀ : ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ନିଜ ଇଚ୍ଛାରେ କରୁଥିବା ପୁଲିସ ମହାନିର୍ଦେଶକ ଓ ପୁଲିସ ଆୟୁକ୍ତ ନିଯୁକ୍ତି ମନମାନି ଆଉ ଏଣିକି ଚଳିବନି। ନିଜ ପସନ୍ଦର ତଥା ସୁହାଇବା ଭଳି ବ୍ୟକ୍ତିବିଶେଷଙ୍କୁ ପୁଲିସ ମହାନିର୍ଦେଶକ ପଦରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ଯେଉଁଭଳି ନିଯୁକ୍ତି ଦେଉଛନ୍ତି ତାହା ଉପରେ ଅଙ୍କୁଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏପରିକି କାର୍ଯ୍ୟକାରୀ ପୁଲିସ ମହାନିର୍ଦେଶକ କିମ୍ବା ପୁଲିସ କମିଶନର ନିଯୁକ୍ତି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ଅଦାଲତ। କାର୍ଯ୍ୟକାରୀ ପୁଲିସ ମହାନିର୍ଦେଶକ ଭାବେ ରାଜ୍ୟମାନେ କାହାରିକୁ ନିଯୁକ୍ତି ଦେଇପାରିବେନି ବୋଲି ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ମଙ୍ଗଳବାର ପୁଲିସ ସଂସ୍କାର ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିର୍ଦେଶ ଦେଇଛନ୍ତି। ଏଣିକି କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ସରକାର ସିଧାସଳଖ ନିଜ ପସନ୍ଦ ମୁତାବକ ପୁଲିସ୍‌ ମୁଖ୍ୟଙ୍କୁ ନିଯୁକ୍ତ କରିପାରିବେ ନାହିଁ । ଏହି ମର୍ମରେ ଆଜି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏମ୍‌ ଏମ୍‌ ଖାନ୍‌ୱିଲକର ଓ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ନିର୍ଦେଶ ମୁତାବକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ପୁଲିସ ମହାନିର୍ଦେଶକ କିମ୍ବା ପୁଲିସ ଆୟୁକ୍ତ ପଦବୀ ଲାଗି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ର ଲୋକସେବା ଆୟୋଗଙ୍କ ନିକଟକୁ ପଠାଇବେ । ଯୋଗ୍ୟତା, ଅଭିଜ୍ଞତା ଓ ଅନ୍ୟାନ୍ୟ ମାପଦଣ୍ଡ ଆଧାରରେ ଲୋକସେବା ଆୟୋଗ ସେଥିମଧ୍ୟରୁ ତିନିଜଣ ସର୍ବାଧିକ ଯୋଗ୍ୟ ଅଧିକାରୀଙ୍କ ନାମ ସୁପାରିସ କରିବେ । ସେହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ସରକାର ପୁଲିସ ମୁଖ୍ୟ ଭାବେ ନିଯୁକ୍ତି ଦେବେ । ପୁଲିସ ଡିଜି ଭାବେ ନିଯୁକ୍ତି ପାଇବାକୁ ଥିବା ଅଧିକାରୀଙ୍କ ଆବଶ୍ୟକ ଚାକିରି କାର୍ଯ୍ୟକାଳ ଅବଧି ରହିବା ଆବଶ୍ୟକ । ଖଣ୍ଡପୀଠଙ୍କ ଉପରୋକ୍ତ ନିର୍ଦେଶ ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡିଜିପି ନିଯୁକ୍ତି ପାଇଁ ଥିବା ନିୟମାବଳୀ ଆପେ ଆପେ ଅକାମୀ ହୋଇଯାଇଛି।
ତେବେ ଯେଉଁସବୁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ପୁଲିସ ନିଯୁକ୍ତି ନେଇ ଆଇନ କରିଛନ୍ତି ସେମାନେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ପରେ ସେମାନଙ୍କ ଆଇନରେ ସଂଶୋଧନ ତଥା ପରିବର୍ତ୍ତନ କରିବାକୁ ସୁଯୋଗ ଦିଆଯାଇଥିବା ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ପୁଲିସ ବ୍ୟବସ୍ଥାରେ ସଂସ୍କାର ନେଇ କେତେକ ପରିବର୍ତ୍ତନ ଆଣିବା ଲାଗି ପ୍ରକାଶ ସିଂହ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି।

error: Thank You Keep Visiting