ଗ୍ୟାଙ୍ଗଷ୍ଟାର ଟିଟୋର ଘର ଉପରେ କ୍ରାଇମ୍ବ୍ରାଞ୍ଚର ଚଢାଉ

Straight to the Point

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର କେନ୍ଦ୍ରାପଡା ସହରର ଦିଲାରପୁରସ୍ଥିତ ବାସଭବନ ଏବଂ ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆଜି କ୍ରାଇମବ୍ରାଂଚ ପକ୍ଷରୁ ରେଡ କରାଯାଇଛି । ଗତ ଜୁନମାସ ୩୦ତାରିଖରେ ରାଜ୍ୟ କ୍ରାଇମବ୍ରାଂଚ ଏସ.ଷ୍ଟି.ଏଫ ପକ୍ଷରୁ ଦିଲାରପୁରସ୍ଥିତ ବାସଭବନରୁ ଟିଟୋକୁ ଡକାୟତି ପାଇଁ ଯୋଜନା କରୁଥିବା ଅଭିଯୋଗରେ ଗିରଫ କରାଯାଇ ଭୂବନେଶ୍ୱର କ୍ରାଇବ୍ରାଂଚ କାର୍ଯ୍ୟାଳୟକୁ ନିଆଯାଉଥିବା ସମୟରେ ଚଣ୍ଡିଖୋଲଠାରେ ଟିଟୋ ପୋଲିସ ଉପରକୁ ଗୁଳି ଚଳାଇବାରୁ ପୋଲିସର ପାଲଟା ଗୁଳିରେ ଆହତ ହୋଇ ପ୍ରଥମେ ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି ହୋଇଥିଲା । କଟକ ଡାକ୍ତରଖାନାରୁ ଡିସଚାର୍ଜ ହେବାପରେ ଚଳିତମାସ ୩ତାରିଖରେ ଟିଟୋକୁ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ କ୍ରାଇମବ୍ରାଂଚ ପକ୍ଷରୁ ହାଜର କରାଯାଇଥିଲା । ତାର ଜାମିନ ଦରଖାସ୍ତ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଥିଲା । ଚଳିତମାସ ୪ତାରିଖରେ କ୍ରାଇମବ୍ରାଂଚ ପକ୍ଷରୁ ଟିଟୋକୁ ୧୦ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ମାତ୍ର ୫ଦିନ ରିମାଣ୍ଡରେ ନେବାକୁ ନିର୍ଦେଶ ଦେବା ପରେ ସେହିଦିନ ଟିଟୋକୁ ଜେଲରୁ ଭୂବନେଶ୍ୱର କ୍ରାଇମବ୍ରାଂଚ କାର୍ଯ୍ୟାଳୟକୁ ନିଆଯାଇଥିଲା । ଟିଟୋକୁ କ୍ରାଇମବ୍ରାଂଚ ପକ୍ଷରୁ ପଚରାଉଚୁରା କରାଯିବା ପରେ ସେଥିରୁ ତାର ଅପରାଧୀକ ସାମ୍ରାଜ୍ୟ,ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ବିଭିନ୍ନ ରାଜନେତା ଏବଂ ସରକାରୀ ଅଧିକାରୀଙ୍କ ସହିତ ସମ୍ପର୍କ ବିଷୟରେ ତଥ୍ୟ ପାଇବାରୁ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ କ୍ରାଇମବ୍ରାଂଚ ପକ୍ଷରୁ ସହରର ଦିଲାରପୁରସ୍ଥିତ ଟିଟୋର ବାସଭବନ “କୋବ୍ରା ମଞ୍ଜିଲ”, ସେଠାରୁ ପ୍ରାୟ ୪୦/୫୦ଫୁଟ ଦୂରରେ ଥିବା “ମଠ ମହଲା”(ଟିଟୋର ଦରବାର), ଗୋବରୀ ନଦୀବନ୍ଧ (ବାଇପାସ) ଉପରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ(ସମ୍ବଲ ଟ୍ରେଡର୍ସ), ଚଉଁରୀ ବରହମପୁର ସ୍ଥିତ (ପରିବାର ଅଦାଲତ ନିକଟ) ପେଟ୍ରୋଲପମ୍ପ, ଗୋପଛକ ପାଖ ଏକ ବେସରକାରୀ +୨କଲେଜ ନିକଟରେ ଥିବା ରେଳବାଇ ଠିକା କାର୍ଯ୍ୟାଳୟ, ପାରାଦୀପସ୍ଥିତ ଷ୍ଟିଭେଡର କାର୍ଯ୍ୟାଳୟ, ପଟ୍ଟାମୁଣ୍ଡାଇସ୍ଥିତ କାର୍ଯ୍ୟାଳୟ ଓ କଟକସ୍ଥିତ କାର୍ଯ୍ୟାଳୟ ଉପରେ ଏକାସଙ୍ଗେ ଚଢାଉ କରାଯାଇଥିବା କ୍ରାଇମବ୍ରାଂଚ ଏସ.ଷ୍ଟି.ଏଫର ଡି.ଆଇ.ଜି.ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଏହି ଚଢାଉରୁ ବର୍ତମାନ ସୁଦ୍ଧା ୨ଟି ବଡ ଛୂରୀ, ଭିନ୍ନ ଭିନ୍ନ ବ୍ୟାଙ୍କରେ ଥିବା ଜମାବହିର କେତେକ ଚେକବୁକ, କମ୍ପ୍ୟୁଟର, ଲାପଟପ, ବିଭିନ୍ନ ବ୍ୟବସାୟିକ ରେକର୍ଡପତ୍ର ପ୍ରଭୃତି ଜବତ କରାଯାଇଛି ବୋଲି ଡି.ଆଇ.ଜି.ଶ୍ରୀ ଲାଲ ସୂଚନା ଦେଇଛନ୍ତି । ଡି.ଆଇ.ଜି. ଶ୍ରୀ ଲାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢାଉରେ କାଇମବ୍ରାଂଚ ଏସ.ଷ୍ଟି.ଏଫ.ର ଏସ.ପି.ସତ୍ୟଜିତ ନାୟକ,ଡି.ଏସ.ପି.ରାମଚନ୍ଦ୍ର ଥମ୍ବ,କେନ୍ଦ୍ରାପଡା ଏସ.ପି.ନୀତି ଶେଖର,କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜୀବଲୋଚନ ପଣ୍ଡା,ଡି.ଏସ.ପି.(ଡି.ଆଇ.ବି.)ରଞ୍ଜନ କୁମାର ଦେ,ଟାଉନଥାନା ଅଧିକାରୀ ତପନ କୁମାର ନାୟକଙ୍କ ସମେତ ୧୨ଜଣ ପୋଲିସ ଅଧିକାରୀ ସାମିଲ ହୋଇଥିବା ବେଳେ ୧୦ପ୍ଲାଟୁନ ପୋଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୃତୟନ କରାଯାଇଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।

error: Thank You Keep Visiting