ମଧ୍ୟାହ୍ନ ଭୋଜନରେ ମୂଷା : ଅସୁସ୍ଥ ୧୯ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି

Straight to the Point

ଭଦ୍ରକ: କୁନି କୁନି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଏହି ଯୋଜନା ଅନେକ କ୍ଷେତ୍ରରେ ବାଟବଣା ହେବାରେ ଦେଖାଦେଇଛି । ବିଶେଷକରି ଏହି ମଧ୍ୟାହ୍ନ ଭୋଜନ ଖାଇ ଅନେକ ସ୍ଥାନରେ ବହୁ ଛାତ୍ରଛାତ୍ରୀ ଅସୁସ୍ଥ ହେବାର ନଜିର ରହିଛି । ସେହିଭଳି ଆଜି ଭଦ୍ରକ ଜିଲା ତିହିଡି ବ୍ଲକ୍ ଶିକ୍ଷା ଅଧିଖଣ୍ଡ ଅଧୀନସ୍ଥ ଚାରିତରଫ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ମୂଷା ପଡିଥିବାର ଅଭିଯୋଗ ହୋଇଛି । ଏବଂ ଏହି ଖାଦ୍ୟ ଖାଇ ବିଦ୍ୟାଳୟର ୧୯ ଜଣ ଛାତ୍ରଛାତ୍ରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ତିହିଡି ବ୍ଲକ୍ ଚାରିତରଫ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୭୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି ।

ଗତକାଲି ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ଅପ୍ରିତିକର ଘଟଣା ଘଟିଥିଲା । ପିଲାମାନେ ଧାଡିବାନ୍ଧି ଖାଇବାକୁ ବସିବା ପରେ ଖାଦ୍ୟ ପରସା ଯାଇଥିଲା । ଏହି ସମୟରେ ଡାଲମା ହଣ୍ଡାରେ ମୂଷା ପଡିଥିବାର ଦେଖିବାକୁ ମିଳିଥିଲା । ସେତବେଳକୁ ୧୯ ଜଣ ଛାତ୍ରଛାତ୍ରୀ ଉକ୍ତ ଖାଦ୍ୟକୁ ଖାଇସାରିଥିଲେ । ଫଳରେ ଖାଦ୍ୟ ପରସା ବନ୍ଦ ହୋଇଥିଲା ସତ, କିନ୍ତୁ ଆଜି ସକାଳୁ ସେହି ଖାଦ୍ୟ ଖାଇଥିବା ଛାତ୍ରଛାତ୍ରୀମାନେ ପେଟ ଓ ମୁଣ୍ଡରେ ଯନ୍ତ୍ରଣା ହେବାର ବିଷୟ ନିଜ ଅଭିଭାବକଙ୍କୁ କହିଥିଲେ । ଫଳରେ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବିଦ୍ୟାଳୟ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନିଜର ୧୯ ଜଣ ପିଲାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଏହି ଘଟଣାରେ ଅଭିଭାବକମାନେ ସିଧାସଳଖ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଥିବାବେଳେ ପିଲାଙ୍କୁ ନେଇ ଆସିଥିବା ଶିକ୍ଷକ ଉକ୍ତ ବିଷୟରେ କିଛି ଜାଣିନଥିବା ବିଷୟ କହିଛନ୍ତି । ଏହି ଘଟଣା ପ୍ରଚାରିତ ହେବା ପରେ ଭଦ୍ରକ ଉପଜିଲାପାଳ ପୀତାମ୍ବର ସାମଲ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚ ଚିକିତ୍ସାଧୀନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ଏହି ଯାଞ୍ଚ କାଳରେ ପିଲାମାନେ ଶିଶୁ ବିଭାଗରେ ପ୍ରାଥମିକ ଚିକିତ୍ସା ଚାଲିଥିବାର ଦେଖି ସେମାନଙ୍କ ସମେତ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଏଭଳି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିବାବେଳେ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଉପଜିଲ୍ଲାପାଳ ମଧ୍ୟ ଏହା ଖୁବ୍ ଶୀଘ୍ର ଆରମ୍ଭ ହେଉଥିବାର ସୂଚନା ଦେଇଛନ୍ତି । ତେବେ ବିଭିନ୍ନ ସମୟରେ ମଧ୍ୟାହ୍ନ ଭୋଜନକୁ ନେଇ ଏଭଳି ଅଘଟଣ ଘଟୁଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିନେଇ ଯତ୍ନବାନ ହେବାକୁ ସାଧାରଣରେ ଦାବି ହୋଇଛି ।

error: Thank You Keep Visiting