ଅପରେସନ୍ ଟି – ବ୍ରଦର୍ସ

Straight to the Point

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଗିରଫ ହେବାର ୭ ଦିନ ପରେ କ୍ରାଇମବ୍ରାଞ୍ଜ ଏସ.ଟି.ଏଫ. ଟିମ୍ ତାହାର ଆର୍ଥିକ ସାମ୍ରାଜ୍ୟ ଉପରେ ପଞ୍ଝା ମାରିଛି । ଏହାସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରଖିଛି । ଶନିବାର ଅପରାହ୍ନରେ କ୍ରାଇମ୍ବ୍ରାଞ୍ଜର ଏକ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ ଓ ମାଜିଷ୍ଟ୍ରେଟ୍ ତଥା ଆଡିସ୍ନାଲ ତହସିଲଦାର ଦେବୀ ପ୍ରସାଦ ମହାନ୍ତିଙ୍କ ଉପସ୍ଥିତିରେ ସହରର ବଡ଼ହାଟ ଅଞ୍ଚଳରେ ଥିବା ସିମ୍ରନ୍ ଗାର୍ଣ୍ଣମେଣ୍ଟର୍ସ ନାମକ ଡ୍ରେସ୍ ଦୋକାନ ଉପରେ ଚଢାଉ କରିବା ସହ ଅନ୍ୟ ଏକ ମୋବାଇଲ ଦୋକାନ ଉପରେ ଚଢାଉ କରି ଖାନତଲାସ ଚଳାଇବା ସହ ଉଭୟ ଦୋକାନକୁ ସିଲ୍ କରିଦେଇଥିବା ସୂଚନା ମିଳିଛି । ଏହି ଚଢାଉରେ କ୍ରାଇମବ୍ରାଞ୍ଜ ଏସ.ଟି.ଏଫ୍ର ଡି.ଏସ୍.ପି ଟି.ଆଇ. ପଟେଲ, ଇନିସପ୍ଟେର ସାବିତ୍ରୀ ଆ·ର୍ଯ୍ୟ ନେତୃତ୍ୱ ନେଇଥିବା ବେଳେ କେନ୍ଦ୍ରାପଡ଼ା ଏସ.ଡି.ପି.ଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ, ସଦର ଥାନା ଅଧିକାରୀ କାବୁଲି ବାରିକ ପ୍ରମୁଖ ପୋଲିସ ଅଧିକାରୀମାନେ ସହାୟତା କରିଥିଲେ ଓ ଦୁଇ ପ୍ଲାଟୁନ୍ ସଶସ୍ତ ପୋଲିସବାହିନୀ ଘଟଣାସ୍ଥଳରେ ମୁତୟନ ରହିଥିଲେ । ଏହି ଦୋକାନ ଦୁଇଟିକୁ ଏସ.ଟି.ଏଫ. ସିଲ୍ କରିଦେଇଥିବା ଜଣାପଡିଛି । ସୂଚନା ମୁତାବକ ଜୁନ ୩୦ ରେ ଦିଲାରପୁରସ୍ଥିତ ବାସଭବନରୁ କ୍ରାଇମବ୍ରାଞ୍ଜର ଏସ.ଟି.ଏଫ. ଟିମ୍ ଟିଟୋକୁ ଉଠାଇ ନେଇଥିଲା ଓ ଏନ୍କାଉଣ୍ଟର କରିଥିଲା । ୪ ତାରିଖରେ କେନ୍ଦ୍ରାପଡ଼ା କୋର୍ଟରେ ହାଜର କରାଇବା ସହ ୫ ଦିନ ରିମାଣ୍ଡରେ ନେଇ ପଚରାଉଚୁରା ଜାରି ରଖିଥିଲା । ୬ ତାରିଖ ପୂର୍ବାହ୍ନରୁ କ୍ରାଇମବ୍ରାଞ୍ଜ ଟିମ୍ ଡି.ଆଇ.ଜି. ହେମାଂଶୁ ଲାଲ୍ଙ୍କ ନେତୃତ୍ୱରେ ଟିଟୋର ଦିଲାରପୁରସ୍ଥିତ ବାସଭବନ ସମେତ ବ୍ୟବସାୟ ପ୍ରତିଷ୍ଠାନ, ମଠ, ମଲ୍ଟି ଜିମ୍, ଗୋପଛକରେ ଥିବା ବାଲି ଷ୍ଟକ୍ୟାର୍ଡ ଆଦି ୧୦ଟି ସ୍ଥାନରେ ଚଢାଉ କରି ଖାନ୍ତଲାସ କରିଥିଲା । ଏହାସହ ହାଇସ୍କୁଲ ଛକରେ ଥିବା ପେଟ୍ରୋଲ ପମ୍ପ୍ ଉପରେ ଚଢାଉ କରି ସିଲ୍ କରିଦେଇଥିବା ବେଳେ ଗୋପଛକରେ ଥିବା ବାଲି ଷ୍ଟକ୍ୟାର୍ଡରେ ରହିଥିବା ୪୦ଟି ଟ୍ରକ୍ ଓ ଜେ.ସି.ବି ମେସିନ୍କୁ ଜବତ କରିବା ସହ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରୁ ବହୁ ପରିମାଣର କାଗଜପତ୍ର ଜବତ କରିନେଇଥିଲା । ଶନିବାର ଅପରାହ୍ନରେ ସହର ମଧ୍ୟରେ ଥିବା ଡ୍ରେସ୍ ଓ ମୋବାଇଲ ଦୋକାନ ଉପରେ ଚଢାଉ କରି ଏହି ଦୋକାନ ଦୁଇଟିକୁ ସିଲ୍ କରିଥିବା ସୂଚନା ମିଳିଛି । ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଜ ଟିମ୍ କେନ୍ଦ୍ରାପଡ଼ାରେ ରହି ଜବତ କାଗଜପତ୍ର ଗୁଡିକୁ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି । ଟିଟୋର ସାମ୍ରାଜ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବହୁ ଅଞ୍ଚଳରେ ଓ ରାଜ୍ୟ ବାହାରେ ବଡ଼ ବଡ଼ ସହରକୁ ବ୍ୟାପିଥିବା ବେଳେ ଏହାର ଖୋଳତାଡ କରି ଚୁଡାନ୍ତ ନିଷ୍ପତି ଗ୍ରହଣ କରିବାକୁ ବହୁ ଦିନ ଲାଗିବ ବୋଲି ସୂଚନା ମିଳିଛି ।

error: Thank You Keep Visiting