ଧଳା ଜହର ମାୟାରେ ଯୁବ ଓ ଛାତ୍ର ଗୋଷ୍ଠୀ

Straight to the Point

ଭଦ୍ରକ (ଓଡ଼ିଶା ଜର୍ଣ୍ଣାଲ): ଏହି ଜିଲାର ଭଦ୍ରକ ସମେତ ଧାମନଗର ଅଂଚଳରେ ବେଆଇନ୍ ନିଶା କାରବାର ଜୋର ଧରିଛି । ଚୋରା ଦେଠୀ ଏବଂ ବିଦେଶୀ ମଦ ସହ ଗଂଜେଇ, ଚରସ, ବ୍ରାଉନସୁଗାର ଆଦି ନିଶାଦ୍ରବ୍ୟର ବିକ୍ରି ଅବାଧରେ ବୃଦ୍ଧି ପାଇଛି । ବିଭିନ୍ନ ଗାଠୁଁ ଛକ ଏବେ ନିଶା ବେପାରର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଛୋଟ ଛୋଟ ଦୋକାନ ଏହାର ମୁଖ୍ୟ କେନ୍ଦ୍ର ପାଲଟିଛି । ବିଶେଷକରି ଛାତ୍ର ଓ ଯୁବପିଢୀ ଏହାର ମୁଖ୍ୟ ଗ୍ରାହକ ସାଜୁଥିବା ଦେଖିବାକୁ ମିଳିଛି । ଯାହା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଘଟାଇବାର ଆଶଙ୍କା ସୃଷ୍ଟି କରିଛି । ଏ ଦିଗରେ ଜିଲା ଅବକାରୀ ବିଭାଗ ଚେଇଁ ଶୋଇଥିବାବେଳେ ଗତ କିଛିଦିନ ଧରି କ୍ରମାଗତ ଭାବେ କଟକ ସ୍ଥିତ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ସହରର ଚରମ୍ପା ଅଂଚଳର ବରାଳପୋଖରୀ, ଖଣ୍ଡିଆବଜାର ଓ ଷ୍ଟେସନ ନିକଟ ସମେତ ଭଦ୍ରକ କଲେଜ ନିକଟ, ଭଦ୍ରକ ଚାନ୍ଦବାଲି ବାଇପାସ, ନୂଆ ବସ୍ଷ୍ଟାଣ୍ଡ, ଅପର୍ତ୍ତିବିନ୍ଧା ଛକ, ଆରଡି ଛକ, ବଙ୍କସାହି ସ୍କୁଲ ନିକଟରୁ ଅନେକଥର ବ୍ରାଉନସୁଗାର ଭଳି ମାରାତ୍ମକ ମାଦକ ଦ୍ରବ୍ୟ ଜବତ କରି ଆସୁଛନ୍ତି । ସେହିଭଳି ଏବେ ଧୁଷୁରୀ ଏବଂ ଧାମନଗର ଥାନା ଅଂଚଳରେ ବ୍ରାଉନ୍ ସୁଗାର ଭଳି ଭୟଙ୍କର ନିଶା ବେପାର କାୟା ବିସ୍ତାର କରିଛି । ବ୍ଲକ୍ର ଅସୁରାଳି, ବେତାଳିଗାଁ, କୋରୁଆ-ଗୋବିନ୍ଦପୁର, ବରୁଣେଇ, ଭଗବାନପୁର, ଚୁଡାକୁଟୀ, ମଙ୍ଗଳପୁର ପ୍ରଭୃତି ସ୍ଥାନରେ ଏହି ବେଆଇନ୍ ବେପାର ଚାଲୁଥିବା ଜଣାଯାଇଛି । କେତେକ ମୁଷ୍ଟିମେୟ ଅସାମାଜିକ ଏହି ବେପାରର ମୁଖ୍ୟ କାର୍ପଟଦାର ହୋଇଥିବାବେଳେ ସେମାନେ ଆଉ କିଛି ବେକାର ଯୁବକଙ୍କୁ ମୋହରା ବନାଇ ବେପାରକୁ ଅନାୟାସରେ ଚଳାଉଛନ୍ତି । ଦିନରେ ଲୁଚାଛପାରେ ଚାଲୁଥିବା ବେପାର ସଂଜ ନଇଁଲେ ଖୋଲମଖୁଲା ଆରମ୍ଭ ହେଉଛି ।

ବିଳମ୍ବିତ ରାତି ଯାଏ ବିଭିନ୍ନ ଛକ ସମେତ ନିଛାଟିଆ ରାସ୍ତା, ନଈପଠାରେ ଏମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଉଛି । ନିର୍ଦ୍ଦିଷ୍ଟ ଭାବେ ଅଳ୍ପ ବୟସ୍କର ଯୁବକ ଏବଂ ଛାତ୍ର ଦୈନିକ ଏହି ନିଶା ସେବନ କରୁଥିବା ବେଳେ ଅଧିକାଂଶ ଗାଁରେ ଗଂଜେଇ ଖଟି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କିଛି ମାଫିଆ ଏହାକୁ ଚୋରା ଆଣି ନିଜର ଏଜେଣ୍ଟମାନଙ୍କ ଜରିଆରେ ବେପାର କରୁଛନ୍ତି । ନିଶାରେ କବଳିତ ଯୁବଗୋଷ୍ଠୀ ଏହାକୁ ସେବନ କରିବା ପାଇଁ ଅର୍ଥ ସଂକଟରେ ପଡୁଥିବାବେଳେ ସେମାନେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜାଇବାକୁ ପଛାଉନାହାଁନ୍ତି । ଗଂଜେଇ ଓ ଧଳା ଜହରକୁ ଛାଡି ପାରୁନଥିବା କିଛି ଯୁବକ ଓ ଛାତ୍ର ନିଶାରେ ପଗାଳ ପ୍ରାୟ ପରିସ୍ଥିତିକୁ ସାମ୍ନା କରୁଥିବା ଦେଖାଯାଇଛି । ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଆନନ୍ଦବଜାର, ହନୁମାନ ଛକ, ସରପୁର ଛକ ପ୍ରଭୃତି ସ୍ଥାନରେ ଏହି ବେପାର ଏବେ ବେଧଡକ ଚାଲିଛି । ଦିନକୁ ଦିନ ଗାଁରୁ ଗାଁ ବ୍ରାଉନସୁଗାର କାରବାର ବଢି ଚାଲିଥିବା ବେଳେ ଅବକାରୀ ବିଭାଗର ଅହେତକୁ ନୀରବତାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

error: Thank You Keep Visiting