ମିଳିଲାନି ଦରମା କି ଘର ଚାନ୍ଦବାଲି ମେଡିକାଲରୁ ଚାକିରୀ ଛାଡିଲେ ୩ ନୂଆ ଡାକ୍ତର

An Independent Media

ଭଦ୍ରକ : ଏହି ଜିଲାର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନଭେମ୍ବର ମାସରୁ ନୂତନ ଭାବେ ନିଯୁକ୍ତି ପାଇଥିବା ୩ ଜଣ ଯୁବ ଡାକ୍ତର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେମାନେ ନିଜର ଇସ୍ତଫା ଦେବା ପରେ ଆଣିଛନ୍ତି ଗୁରୁତର ଅଭିଯୋଗ । ସେମାନଙ୍କୁ ୩ ମାସର ଦରମା ନମିଳିବା ଏବଂ ସେମାନଙ୍କୁ ବାସଗୃହ ମଧ୍ୟ ଯୋଗାଇ ଦିଆଯାଇନଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଓ ପ୍ରଶାସନ ପକ୍ଷରୁ ତାଙ୍କୁ ସହଯୋଗ ମିଳିନଥିବାରୁ ସେ ଚାକିରୀ ଛାଡିଥିବା କଥା ପ୍ରକାଶ କରିଛନ୍ତି । ଅନ୍ୟପଟେ ୩ ଜଣ ଡାକ୍ତର ଜିଲା ଚିକିତ୍ସା ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ବହୁବାର ଅଭିଯୋଗ ପରେ ସେମାନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯାଇନଥିଲା । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୧୧ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଏବେ ମେଡିକାଲ ଅଫିସରଙ୍କୁ ଲଗାଇ ୨ ଜଣ ଡାକ୍ତର ଓ ୫ ଜଣ ସେବିକାଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟ ସେବା । ଏପରି ସ୍ଥିତିରେ ସରକାରଙ୍କ କୃପା ଦୃଷ୍ଟିରୁ ନଭେମ୍ବର ମାସରେ ୩ ଜଣ ଯୁବ ଡାକ୍ତର ନିଯୁକ୍ତି ପାଇଥିଲେ, ହେଲେ ସ୍ୱାସ୍ଥ୍ୟ ବିଭାଗର ଅପାରଗତା ପାଇଁ ୩ ଜଣ ଡାକ୍ତର ନିଜ ପଦବୀରୁ ଇସ୍ତଫା ଦେଇ ଛାଡିଚାଲିଯାଇଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗରେ ଚାଲିଛି କାଦୁଅ ଫିଙ୍ଗା ଫିଙ୍ଗି । ସିଡିଏମ୍ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ଉପରେ ଦୋଷ ଲଦୁଥିବାବେଳେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଭୌଗୋଳିକ ଦୃଷ୍ଟିକୋଣରୁ ଚାନ୍ଦବାଲି ବ୍ଲକ୍‌ର ୩୬ ପଂଚାୟତ ସହିତ ଏନ୍‌ଏସି ୧୫ ଟି ୱାର୍ଡରେ ୧ ଲକ୍ଷ ୭୬ ହଜାର ଜନସଂଖ୍ୟାରୁ ପ୍ରାୟ ୧ ଲକ୍ଷ ଜନସାଧାରଣ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ଏବଂ ପାଖ କନିକା ବ୍ଲକ୍‌ର ମଧ୍ୟ କିଛି ପଂଚାୟତର ଜନସାଧାରଣ ଏହି କେନ୍ଦ୍ରକୁ ଆସିଥାନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଛି । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନଙ୍କ ଜୀବନ ଏବେ ଭାଗ୍ୟ ଓ ଭଗବାନଙ୍କ ଡୋରିରେ ବନ୍ଧା ପଡିଛି । ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗର କୌଣସି ଗୁରୁତ୍ୱ ରହିଛି ନା ଜନପ୍ରତିନିଧିଙ୍କର ଧ୍ୟାନ ରହିଛି ।

error: Thank You Keep Visiting