ଗାଡି ଧଡପଗଡ : ଭୁବନେଶ୍ବରରେ ୨ଟି ବସ ସିଜ
ଭୁବନେଶ୍ୱର : ଦୁଇ ଥର ସୁଯୋଗ ମିଳିବା ପରେ ଏବେ ପୁଣି ଗାଡି ଚେକିଙ୍ଗ ତନାଘନା ଆରମ୍ଭ ହୋଇଛି । ଗତକାଲିଠୁ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ସ୍ୱତ୍ତେ କିଛି ଲୋକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି। ଫଳରେ ମୋଟା ଅଙ୍କର ଫାଇନ ଗଣୁଛନ୍ତି । ଗତକାଲି ଟ୍ୱିନ୍ ସିଟିରେ ସାଢ଼େ ଛଅ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ଆଜି ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ସିଜ୍ କରିଛି ପରିବହନ ବିଭାଗ। ଫିଟନେସ୍ ନ ଥାଇ ରାସ୍ତାରେ ଗଡ଼ିବା ଅଭିଯୋଗରେ ଉଭୟ ବସ୍କୁ ସିଜ୍ କରିଛି ବିଭାଗ। ଏଥିସହ ଉଭୟ ବସ୍ର ରେଜିଷ୍ଟ୍ରେସନ ଏବଂ ପଲ୍ୟୁସନ ସାର୍ଟିଫିକେଟ୍ ବୈଧ ନ ଥିବା ଯାଞ୍ଚରୁ ଜଣାପଡ଼ିଛି। ଫଳରେ ଏହି ଦୁଇଟି ବସ୍କୁ ମୋଟ ୨୫ ହଜାର ୫୦୦ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଗତକାଲି ରାଜଧାନୀ ଭୁବନେଶ୍ୱରରେ ନିୟମ ଉଲ୍ଲଙ୍ଘନକାରୀଙ୍କଠୁ ୨ ଲକ୍ଷ ୯୨ ହଜାରର ଚାଲାଣ କଟାଯାଇଥିଲା । ସେଥିରୁ ୭୯ ହଜାର ୨୦୦ ଟଙ୍କା ଘଟଣାସ୍ଥଳରୁ ଆଦାୟ ହୋଇଥିଲା। କଟକରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୩ ଲକ୍ଷ ୪୫ ହଜାର ଟଙ୍କା ଆଦାୟ ହୋଇଥିଲା। ସେପଟେ ସମ୍ବଲପୁରରେ ଆଦାୟ ହୋଇଥିଲା ୨ ଲକ୍ଷ ୬୬ ହଜାର ଟଙ୍କା । ରଙ୍ଗ୍ ରୁଟ୍ ଡ୍ରାଇଭିଂ, ବିନା ହେଲମେଟ, ମୋବାଇଲ ବ୍ୟବହାର, ବିନା ଲାଇସେନ୍ସ, ବିନା ସିଟ୍ ବେଲ୍ଟ ଓ ଦ୍ରୁତ ଗାଡ଼ିଚାଳନା ପାଇଁ ଏହି ଜୋରିମାନା ହୋଇଥିବା ଜଣାଯାଇଛି। ଏହାକୁ ନେଇ କେତେକ ସ୍ଥାନରେ ଗାଡ଼ି ଚାଳକ ଓ ପୁଲିସ୍ ମଧ୍ୟରେ କଥା କଟାକଟି, ଯୁକ୍ତିତର୍କ ମଧ୍ୟ ହୋଇଥିବାର ଜଣାଯାଇଛି ।