କୋରୋନା ଆତଙ୍କ : ଭୁବନେଶ୍ବର ବିମାନ ବନ୍ଦରରେ ବିଦେଶୀ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

An Independent Media

ଭୁବନେଶ୍ବର : ଆଜି ପାରାଦୀପ ବନ୍ଦରରୁ କରୋନା ସଂଦିଗ୍ଧ ବିଦେଶୀ ଦମ୍ପତି ଚିହ୍ନଟ ହେବା ପରିପ୍ରେକ୍ଷୀରେ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାସ୍ଥ୍ୟ ପରୀକ୍ଷାକୁ ଜୋରଦାର କରାଯାଇଛି। ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ବି.ଭେଙ୍କଟେଶ୍ବର ରାଓ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବିଦେଶରୁ ଆସୁଥିବା ଓ ବିଦେଶକୁ ଯାଉଥିବା ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଉଛି। ରାଜ୍ୟ ସରକାର ଓ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦରକୁ ଗୋଟିଏ ମାତ୍ର ଅନ୍ତର୍ଜାତୀୟ ବିମାନ ସିଧାସଳଖ ଆସୁଛି। ମାଲେସିଆରୁ ଆସୁଥିବା ଏହି ବିମାନର ସମସ୍ତ ଯାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ବିମାନ ବନ୍ଦର ବ‌ାହାରକୁ ଯିବାଲାଗି ଅନୁମତି ଦିଆଯିବ।

ବିମାନ ବନ୍ଦର ନିର୍ଦ୍ଦେଶକ ବି.ଭେଙ୍କଟେଶ୍ବର ରାଓଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଘ‌ରୋଇ ଯାତ୍ରୀଙ୍କର ସ୍ବାସ୍ଥ୍ୟ ଯାଞ୍ଚ ହେଉନାହିଁ। କେବଳ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏଥିଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଯଦି ଆବଶ୍ୟକତା ପଡ଼େ ତେବେ ସମସ୍ତ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ ବୋଲି ସୂଚନା ରହିଛି। ଆଜି ପାରାଦୀପ ବନ୍ଦରରୁ  କରୋନା ସଂଦିଗ୍ଧ  ଦମ୍ପତ୍ତିଙ୍କୁ ଚିହ୍ନଟ କରାଯାଇଛି। ସିଙ୍ଗାପୁରରୁ  ପାରାଦୀପ ବନ୍ଦରକୁ ଆସିଥିବା‌ ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା। ବିଶେଷ କରି ଇଂଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ‌ଦେଖା ଯାଇଥିଲା। ଶରୀରରେ ତାପମାତ୍ରା ରହିବା  କରୋନାର ଏକ  ଲକ୍ଷଣ ହୋଇଥିବାରୁ ସିଙ୍ଗପୁରର ଏହି ଦମ୍ପତ୍ତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଳାଗି ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖାଯାଇଛି। ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍‌ରେ ରଖାଯାଇଥିବା ବେଳେ ୪୨ଜଣ ଘରେ ଆଇସୋଲେସନ୍‌ରେ ରହିଛନ୍ତି। ସୋମବାର ସୁଦ୍ଧା ୬୯ଜଣ ବ୍ୟକ୍ତିଙ୍କ ଘରେ ଆଇସୋଲେସନ୍‌ ଶେଷ ହୋଇସାରିଛି। ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଂଗୃହୀତ ୮ଜଣ ବ୍ୟକ୍ତିଙ୍କ ବାଦ୍ ଅନ୍ୟ କୌଣସି ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇ ନାହିଁ। ପୂର୍ବରୁ ସଂଗୃହୀତ ସମସ୍ତ ନମୁନା ନେଗେଟିଭ୍ ରହିଥିଲା।

 

 

error: Thank You Keep Visiting