ଭିଜିଲାନ୍ସ ପରେ ଏବେ ଇଡି ଜେରାର ସମ୍ମୁଖୀନ ହେବେ ଅନାମ ନାୟକ

An Independent Media


ଭୁବନେଶ୍ୱର: ଆୟ ବହିର୍ଭୂତ ମାମଲାରେ ଭିଜିଲାନ୍ସ ପରେ ଏବେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ବିଧାୟକ ଅନାମଙ୍କ ସମ୍ପତ୍ତି ବାବଦରେ ତଦନ୍ତ କରିବ | ମନି ଲଣ୍ଡରିଂ ମାମଲାରେ ଭବାନୀପାଟଣାର ଏହି ପୂର୍ବତନ ବିଧାୟକ ଇଡି ଜେରାର ସମ୍ମୁଖୀନ ହେବେ।ଅନାମ ନାୟକଙ୍କ ପାଖରେ କେତେ ଟଙ୍କାର ସମ୍ପତ୍ତି ରହିଛି ଓ ଆୟ କେତେ ଟଙ୍କା କରିଛନ୍ତି ସେ ବାବଦରେ ତଦନ୍ତ କରାଯିବ  | 
ଏଠାରେ ସୂଚନା ଥାଉ କି ଜାନୁଆରି ୧୭ରେ ପୂର୍ବତନ ବିଧାୟକ ଅନାମଙ୍କ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନ, ପୁରୁଣାପଡ଼ା ଛକ ନିକଟ ନିର୍ମାଣାଧୀନ ଲଜ୍‌ ଓ ମଦନପୁର-ରାମପୁରସ୍ଥିତ ହୋଟେଲ ‌ଉପରେ କୋରାପୁଟ ଭିଜିଲାନ୍ସର ଏକକାଳୀନ ତିନିଟି ଟିମ୍ ଚଢ଼ଉ କରିଥିଲା। ବହୁ ପରିମାଣର ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କାଗଜପତ୍ର ଭିଜିଲାନ୍ସ ଜବତ କରିଥିଲା। ଏହି ସମୟରେ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କାର ସଂପତ୍ତି ତାଙ୍କର ଠାବ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ଜମାଥିବା ତା‌ଙ୍କର ୪୯ଲକ୍ଷ ଟଙ୍କା ଠାବ କରାଯାଇଥିଲା।
ପୂର୍ବତନ ବିଧାୟକ ଅନାମ ୧ କୋଟି ୫୪ ଲକ୍ଷ ୧୨ ହଜାର ୨୬୦ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେବା ପରେ ତାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୯୮୫, ଜାନୁଆରୀରେ ରାଜସ୍ୱ ବିଭାଗରେ ଅନାମ କନିଷ୍ଠ କିରାଣି ଭାବେ ଯୋଗ ଦେଇଥିଲେ। ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂମ୍ପତ୍ତି ଠୁଳ ଅଭିଯୋଗ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଜାନୁଆରୀ ୨୨ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧)(ବି)ରେ ମାମଲା ରୁଜୁ ହୋଇଥିଲା।

error: Thank You Keep Visiting