ନଦୀରେ ଭାସିଯାଇ ୨ଇସଲାମ ଧର୍ମ ପ୍ରଚାରକଙ୍କ ମୃତ୍ୟୁ
ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ନିକଟରେ ଥିବା ମସଜିଦରେ ତିନି ଧରି ‘ତବିଲ୍ ଜମାତ୍’ ଆୟୋଜିତ ହୋଇଛି। ଏଥିରେ ଇସଲାମ୍ ଧର୍ମର ପ୍ରଚାର କରିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରର ମୁମ୍ବାଇରୁ ଆସି କିଛି ପ୍ରଚାରକ ଯୋଗ ଦେଇଛନ୍ତି। ସେମାନଙ୍କ ଭିତରୁ କେତେଜଣ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ପାଟକୁରା ଥାନା ନିକଟରେ ଥିବା ଚିତ୍ରୋତ୍ପଳା ନଦୀରେ ଗାଧୋଇବାକୁ ଯାଇଥିଲେ।ସେମାନଙ୍କ ଭିତରୁ ହଠାତ୍ ପାଣି ଭିତରେ ଦୁଇ ଜଣ ବୁଡ଼ି ଯାଇଥିଲେ। ପାଣିର ସ୍ରୋତ ପ୍ରଖର ଥିବା ହେତୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଲୋକେ ଚେଷ୍ଟା କରିଥିଲେ ହେଲେ ସଫଳ ହୋଇ ନଥିଲେ। ଏହାପରେ ପାଟକୁରା ଥାନା ପୁଲିସ୍ ଏବଂ ଗରଦପୁର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଅଗ୍ନିଶମ ବାହିନୀର ରମେଶ ଚନ୍ଦ୍ର ନନ୍ଦ ଏବଂ ତାଙ୍କ ଟିମ୍ କିଛି ଦୂରରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କର ନାମ ଜଣାପଡ଼ି ନ ଥିଲେ ବି ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ଏବଂ ଆଉଜଣେ ମୁମ୍ବାଇର ବୋଲି ଜଣାଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୧୮ ଓ ୧୯ ବର୍ଷ ବୋଲି କୁହାଯାଉଛି