ଶ୍ରୀମନ୍ଦିର ଗର୍ଭ ଗୃହରୁ ହଟିବ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର

Straight to the Point

ପୁରୀ: ଶ୍ରୀମନ୍ଦିର ଗର୍ଭ ଗୃହରୁ ହଟିବ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର । ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗ ଉପରେ ଏହାର କୁପ୍ରଭାବ ପଡୁଥିବାରୁ ଏଭଳି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ବୈଷୟିକ ଯନ୍ତ୍ରୀ ବିନେ୍ଧଶ୍ୱର ପାତ୍ର । ନବଦିନ ବ୍ୟାପୀ ରଥଯାତ୍ରାରେ ଦାରୁ ବିଗ୍ରହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ପରେ ଭାରତରୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି କ୍ରମେ ଶ୍ରୀମନ୍ଦିରଗର୍ଭଗୃହ ଯାଞ୍ଚ ଓ ମରାମତି ସହିତ ଜଗମୋହନରେ ବାକି ରହିଥିବା କାମ, ଜୟ ବିଜୟଦ୍ୱାର ଓ ନାଟମଣ୍ଡପ ମରାମତି ନେଇ ପଦକ୍ଷେପ ନିଆଯାଇଛି । ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ସହ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଆଣ୍ଡ ଫୁଏଲ୍ ରିସର୍ଚ୍ଚ, ସେଣ୍ଟ୍ରାଲ, ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟଚ୍ୟୁଟର ବିଶେଷଜ୍ଞମାନେ ଏହି ଯାଞ୍ଚରେ ସାମିଲ ହୋଇ ସୋମବାର କପାମ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଶ୍ରୀମନ୍ଦିର ଗର୍ଭଗୃହ ଓ ଉପର ଦ୍ୱିମହଲା ଯାଞ୍ଚ କରାଯାଇଛି । ଏହାର ସ୍ଥିତି ଖୁବ୍ ଭଲ ରହିଛି । ତେବେ ଗର୍ଭଗୃହ ଭିତରେ ପ୍ରବଳ କଳା ଲାଗିଛି । ସବୁ ବର୍ଷ ପରି ଏହାକୁ ସଫା କରାଯିବ । ଏଥିସହ ପଥର ସୁରକ୍ଷା ପାଇଁ କେମିକାଲର ପ୍ରଲେପ ଦିଆଯିବ । ଜଗମୋହନରେ ବାୟୁ ନିଷ୍କାସନ ବ୍ୟବସ୍ଥା ଲାଗିବ । ଶ୍ରଦ୍ଧାଳୁମାନେ ଜଗମୋହନରେ ପଶି ଦର୍ଶନ କରିବା ବ୍ୟବସ୍ଥା ହୋଇଥିବାରୁ ଯେପରି ଏହା ଭିତରେ ଅମ୍ଳଜାନ ଅଭାବ କିମ୍ବା ଅଧିକ ଗହଳି ଯୋଗୁ କେହି ନିସ୍ତେଜ ନହୁଅନ୍ତି ଏଥିନିମନ୍ତେ ଏହି ବ୍ୟବସ୍ଥା ହେବ । ଏହାଦ୍ୱାରା ଥଣ୍ଡା ପବନ ଜଗମୋହନ ଭିତରେ ପଶି ପାରିବ ଓ ଭିତରର ଗରମ ପବନ ବାହାରକୁ ବାହାରିପାରିବ । ଗର୍ଭଗୃହରେ କୌଣସି ପ୍ରକାର ଶୀତତାପ ନିୟନ୍ତ୍ରଣ ନିମନ୍ତେ ବ୍ୟବସ୍ଥା ରହିବ ନାହିଁ । ଯାହାକୁ ଲାଗିଛି ତାହାକୁ ହଟାଇ ଦିଆଯିବ । ଜୟ ବିଜୟ ଦ୍ୱାର ମରାମତି କାର୍ଯ୍ୟ ଜୋରଦାର ଗତିରେ ଚାଲିଛି । ଆସନ୍ତା ୨୨ତାରିଖ ଭିତରେ ସାରିବାକୁ ପ୍ରତ୍ନତତ୍ତ୍ୱ ବିଭାଗ ଦାୟିତ୍ୱ ନେଇଛି । ଆସନ୍ତା ୨୧ତାରିଖରେ ନାଟମଣ୍ଡପ ସ୍ଥିତି ସମ୍ପର୍କରେ ଏଏସ୍ଆଇ ରିପୋର୍ଟ ଦେବ । ନନାଟମଣ୍ଡପର ବିସ୍ତୃତ ଯାଞ୍ଚ ଏହି ସମୟରେ କରାଯିବ । ନାଟମଣ୍ଡପରୁ ଉପର ଓ ତଳ ସବୁ କିଛି ଦୁର୍ବଳ ହୋଇଥିବା ଆଶଙ୍କା କରାଯାଉଥିବାରୁ ଏହାକୁ କିଭଳି ଶୀଘ୍ର ଯାଞ୍ଚ ସହ ମରାମତି କରାଯିବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ମରାମତି କରାଯିବ । ତେବେ ବେହରଣ ଦ୍ୱାର ନିକଟରେ ଶ୍ରୀମନ୍ଦିର ଗର୍ଭଗୃହରେ ଉପର ବିଭିନ୍ନ ମହଲା ଗୁଡିକ ଯାଞ୍ଚ ନିମନ୍ତେ ଲାଗିଥିବା ଲୁହା ସିଡି ଏବେ ହଟିବ ନାହିଁ । ମହଲାଗୁଡିକର ବାହାର ପାଶ୍ୱର୍ ମରାମତି କାର୍ଯ୍ୟ ବାକି ଥିବାରୁ ଏହା କରାଯିବା ପରେ ସିଡି ହଟିବ । ସେହିପରି ରୋଷ ଘର ଚୁଲା, ବାରେଣ୍ଡା ଅଗଣା, ଭେଣ୍ଟିଲେସନ ବ୍ୟବସ୍ଥାର ଯାଞ୍ଚ କରାଯାଇ ଆବଶ୍ୟକ ମରାମତି କରାଯିବ । ତେବେ ରୋଷଘରେ ଚିମିନି ଲାଗିବା ପଦକ୍ଷେପ ଠାରୁ ପ୍ରଶାସନ ଦୂରେଇ ରହିବାକୁ ଚେଷ୍ଟା କରୁଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଯାଞ୍ଚ କାର୍ଯ୍ୟରେ ଏଏସ୍ଆଇ କୋଲକତା ଆଞ୍ଚଳିକ ନିର୍ଦ୍ଦେଶକ ଡ ନନ୍ଦିନୀ ଭଟ୍ଟାଚାର୍ଯ୍ୟ, ସ୍ଥପତି ଇଂ ଗିରୀଶ କୁଲକର୍ଣ୍ଣି, ଏଏସ୍ଆଇ ନୂଆଦିଲ୍ଲୀର ବିଶେଷଜ୍ଞ ଡ ଶିଳ୍ପା ରାତୋରୀ, ପ୍ରଫେସର ଜିସି ମିତ୍ର, ଡ ଏନ୍ ସି ପାଲ, ଇଂଡି ପି ମିଶ୍ର ଓ ଯନ୍ତ୍ରୀ ବିନେ୍ଧଶ୍ୱର ପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି ।

error: Thank You Keep Visiting