ପ୍ରତିରକ୍ଷା ନିର୍ମାଣ ପୁଞ୍ଜ ପ୍ରତିଷ୍ଠା ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

Straight to the Point

ଭୁବନେଶ୍ୱର: କଟକ ଜିଲାର ନରାଜଠାରେ ଏକ ପ୍ରତିରକ୍ଷା ମାନୁଫାକ୍‌ଚରିଂ ପୁଞ୍ଜ ପ୍ରତିଷ୍ଠା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଗ୍ରୁପକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ଅନ୍ୟ ପ୍ରକଳ୍ପରେ ଏବଂ ଗ୍ରୁପର ଏସ୍‌ଇଜେଡ୍‌ରେ କମ୍ପାନୀ ଅଧିକ ନିବେଶ କରୁ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି। ଏସବୁବ୍ୟତୀତ ଟାଟା ଗ୍ରୁପ ପକ୍ଷରୁ ରାଜ୍ୟରେ ଚାଲିଥିବା ଏହାର ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ବରିତ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି।ଟାଟା ଷ୍ଟିଲ ଏହାର କଳିଙ୍ଗ ନଗର ଏବଂ ଭୂଷଣ ପ୍ଲାଣ୍ଟର ସମ୍ପ୍ରସାରଣରେ ୬୦,୦୦୦ କୋଟି ​‌ ଟଙ୍କା ନିବେଶ କରିବ ​‌ବୋଲି ଟାଟା ସନ୍ସ ମୁଖ୍ୟ କହିଛନ୍ତି।
ମଙ୍ଗଳବାର ରାଜ୍ୟ ସଚିବାଳୟଠାରେ ଟାଟା ସନ୍ସ ଲିମିଟେଡ୍‌ର ଅଧ୍ୟକ୍ଷ ନଟରାଜନ୍‌ ଚନ୍ଦ୍ରଶେଖରନ୍‌ ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଟାଟା ଗ୍ରୁପ କଟକ ଜିଲା ନରାଜଠାରେ ଏକ ପ୍ରତିରକ୍ଷା ମାନୁଫାକ୍‌ଚରିଂ ପୁଞ୍ଜ ପ୍ରତିଷ୍ଠା କରୁ। ଟାଟା ପାୱାର ଅଧୀନରେ ନରାଜଠାରେ ରହିଥିବା ୮୭୧ ହେକ୍ଟର ଜମିରେ ଏହି ପ୍ରତିରକ୍ଷା ମାନୁଫାକ୍‌ଚରିଂ ପୁଞ୍ଜ ପ୍ରତିଷ୍ଠା କରାଯାଇପାରିବ। ଟାଟା ଆଡଭାନ୍ସ ସିଷ୍ଟମ୍ସ ଏହି ପୁଞ୍ଜର ବିକାଶ କରିବ ​‌ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରନ୍‌ଙ୍କୁ ପ୍ରସ୍ତାବ ଦେଇଛନ୍ତି ା ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଟା କଳିଙ୍ଗ ନଗର ପ୍ଲାଣ୍ଟର ସମ୍ପ୍ରସାରଣକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି। ତରଳ ଧାତବ ଉତ୍ପାଦ ନିର୍ମାଣକୁ ଦୃଷ୍ଟିରେ ରଖି କଳିଙ୍ଗ ନଗରଠାରେ ଏକ ଇସ୍ପାତ ଡାଉନ୍‌ଷ୍ଟ୍ରିମ୍ ପୁଞ୍ଜ ପ୍ରତିଷ୍ଠା କରିବା ନେଇ ବିଚାର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ ଟାଟା ​‌ ଦ୍ବାରା ଏକ ଇ-ଯାନ ପ୍ରକଳ୍ପ, ଟାଟା କେମିକାଲ୍ସ ସହଯୋଗରେ ପାରାଦୀପଠାରେ ଏକ ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ, ଏସ୍‌ଇଜେଡ୍‌ ଏବଂ ଡିଟିଏ ଅଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ମାନୁଫାକ୍‌ଚରିଂ କ୍ଷେତ୍ରରେ ଅଧିକ ନିବେଶ କରିବା ନିମନ୍ତେ ଶ୍ରୀ ଚନ୍ଦ୍ରଶେଖରନ୍‌ଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି।
ରାଜ୍ୟର ଯୁବବର୍ଗଙ୍କୁ ବିଶ୍ବସ୍ତରୀୟ ଦକ୍ଷତା ଯୋଗାଇବା ଲାଗି ଜଣେ ଶିଳ୍ପ ସହଯୋଗୀ ଭାବେ ଟାଟା ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରକଳ୍ପରେ ଅଂଶଗ୍ରହଣ କରିପାରିବ। ଏହାଛଡା କମ୍ପାନୀ ରାଜ୍ୟର ବିଭିନ୍ନ ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଟିଆଇ ଏବଂ ପଲିଟେକନିକ୍‌ଗୁଡିକରେ କ୍ୟାମ୍ପସ୍‌ ପ୍ଲେସ୍‌​‌ମେଣ୍ଟର ଆୟୋଜନ କରୁ । ଗଞ୍ଜାମ ଜିଲାର ଶୀତଳାପଲ୍ଲୀଠାରେ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍‌ପିଟାଲର ନିର୍ମାଣ କାର୍ଯ୍ୟ ତ୍ବରିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏତଦ୍‌ବ୍ୟତୀତ ରାଜ୍ୟର କୃଷକମାନଙ୍କର ରହିଥିବା ଫସଲ ବୀମା ଜନିତ ଦାବି ବାବଦ ଅର୍ଥ ପ୍ରଦାନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଏହି ଅବସରରେ ‌ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖରନ୍‌ଙ୍କୁ ଅନୁରୋଧ କରିଛନ୍ତି। କେତେକ ନିର୍ଦ୍ଧିଷ୍ଟ ସରକାରୀ ଆଇଟିଆଇରେ ଟାଟା ​‌ଭୋଲ୍‌ଟାସ୍‌ ଏବଂ ଥାଇସେନ୍‌କ୍ରପ୍‌ ‌ସହ ମିଶି ପ୍ର​‌ୟୋଗଶାଳା ପ୍ରତିଷ୍ଠା ଉପରେ ବିଚାର କରିବା ଉଚିତ ​‌ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।
ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଏବଂ ନିୟୁକ୍ତି ସୃଷ୍ଟି ଉପରେ ଗୁରୁତ୍ବ ଦେଉଥିବାକୁ ନେଇ ଶ୍ରୀ ଚନ୍ଦ୍ରଶେଖରନ୍‌ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥି​‌ଲେ। ମୁଖ୍ୟମନ୍ତ୍ରୀ ରଖିଥିବା ସମସ୍ତ ପ୍ରସ୍ତାବ ଉପରେ ଟାଟା ସନ୍ସ ବିଚାର କରିବ। ଏଗୁଡିକୁ କିଭଳି ବାସ୍ତବରେ ପରିଣତ କରାଯିବ ସେ ନେଇ ଚେଷ୍ଟା କରାଯିବ ​‌ବୋଲି ଶ୍ରୀ ଚନ୍ଦ୍ରଶେଖରନ୍‌ କହିଛନ୍ତି। ଏହି ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଚନ୍ଦ୍ରଶେଖରନ୍‌ କହିଲେ, ଟାଟା ଷ୍ଟିଲ ଏହାର କଳିଙ୍ଗ ନଗର ଏବଂ ଭୂଷଣ ପ୍ଲାଣ୍ଟର ସମ୍ପ୍ରସାରଣ କ୍ଷେତ୍ରରେ ୬୦,୦୦୦ ​‌କୋଟି ଟଙ୍କା ନିବେଶ କରିବ। କମ୍ପାନୀ ଏହାର କଳିଙ୍ଗ ନଗରସ୍ଥିତ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବର୍ତ୍ତମାନର ୬ ଏମ୍‌ଟିପିଏରୁ ୮ ଏମ୍‌ଟିପିଏକୁ ବୃଦ୍ଧି ଘଟାଇବାକୁ ଲକ୍ଷ୍ୟ ରଖିଛି। ଏ କ୍ଷେତ୍ରରେ ୨୫,୦୦୦ ‌କୋଟି ଟଙ୍କା ନିବେଶ କରାଯିବ। ଏହାଛଡା କମ୍ପାନୀ ଅଧିଗ୍ରହଣ କରିଥିବା​‌​‌ ଏହାର ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ୩୫,୦୦୦ କୋଟି ଟଙ୍କା ନିବେଶ କରିବ ‌ବୋଲି ଶ୍ରୀ ଚନ୍ଦ୍ରଶେଖରନ୍‌ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଭୂଷଣ ଷ୍ଟିଲର ଉତ୍ପାଦନ କ୍ଷମତା ୫.୬ ନିୟୁତ ଟନ୍‌ ରହିଥିବାବେଳେ ବର୍ତ୍ତମାନ ଏହା ୩.୫ ନିୟୁତ ଟନ୍‌ରେ ପରିଚାଳିତ। ପୂର୍ଣ୍ଣ କ୍ଷମତାରେ ପରିଚାଳନା ଲାଗି କମ୍ପାନୀକୁ ଏହାର ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟାଇବାକୁ ହେବ। ଏହି ଅବସରରେ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ , ଅର୍ଥ ବିଭାଗର ସଚିବ ,ଟାଟା ଷ୍ଟିଲ ଏମ୍‌ଡି ଟି. ଭି. ନରେନ୍ଦ୍ରନ୍‌ ଏବଂ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥି​‌ଲେ।

error: Thank You Keep Visiting