ଫୁଲୁଛି ବୈତରଣୀ,କୋଚିଳା ପ୍ରତି ବିପଦ ଘନେଇଲା

Straight to the Point

ଭଦ୍ରକ: ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହି ଜିଲାର ବୈତରଣୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି । ଆଖୁଆପଦା ଠାରେ ଏହି ନଦୀର ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ସନ୍ଧ୍ୟା ସୁଦ୍ଧା ତାହା ବିପଦ ସଂକେତ ତଳେ ଅର୍ଥାତ୍ ୧୭.୩୪ ମିଟରରେ ପ୍ରବାହିତ ହେଉଛି । ଧାମନଗର ସମେତ ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହୁଥିବାରୁ ଜଳସ୍ତର ବୃଦ୍ଧି ପାଉଛି । ତେବେ ଏହି ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏହା ବଡ ଧରଣର ବନ୍ୟାର ଆଶଙ୍କା ସୃଷ୍ଟି ନକରିବା ନେଇ ଜଳସଂପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ସମେତ ତାର ଶାଖା ନଦୀ କୋଚିଳା, ଗେଂଗୁଟି, କପାଳୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଏହି ଲଗାଣ ବର୍ଷା ଯୋଗୁଁ ଚାଷଜମିଗୁଡିକ ଜଳପୂର୍ଣ୍ଣ ହୋଇପଡିଥିବାବେଳେ ଯଦି ବନ୍ୟା ଆସେ, ସେଗୁଡିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବାରେ ସମ୍ଭାବନା ଦେଖାଦେଇଛି । ଏଠାରେ ସୂଚନାଯୋଗ୍ୟ କୋଚିଳା ନଦୀବନ୍ଧର ଶଇଲୋ ଠାରେ ପୂର୍ବରୁ ନଦୀବନ୍ଧରୁ ମାଟି ଅତଡା ଧସିଥିବାରୁ ବିଭାଗ ପକ୍ଷରୁ ତାର ଅସ୍ଥାୟୀ ଭାବେ ମରାମତି କରାଯାଇଥିଲା । ମାତ୍ର ସେଠାରେ ପଥର ପ୍ୟାକିଂ ହୋଇନଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ସେଠାରେ ନଦୀବନ୍ଧ ପ୍ରତି ବିପଦ ଦେଖାଦେଇଛି । ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଗୃହପାଳିତ ପଶୁ ଗୁଡିକ ବାହାରକୁ ବାହାରିବା କଷ୍ଟକର ହୋଇପଡୁଥିବାବେଳେ ବିଭିନ୍ନ ଗ୍ରାମୀଣ ରାସ୍ତାଗୁଡିକ ଯାତାୟତ ଅନୁପଯୋଗୀ ହୋଇପଡିଛି ।

error: Thank You Keep Visiting