ଟିଟୋ ସାମ୍ରାଜ୍ୟର ସିବିଆଇ ତଦନ୍ତ ଆରମ୍ଭ

Straight to the Point

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିଟୋ ତେଲ ଟାଙ୍କିର ଅନିୟମିତତାର ଖୋଳତାଡ଼ କରିବାକୁ ସୁପାରିସ କରିବା ପରେ ସିବିଆଇ ଘଣ୍ଟାଚକଟା ଆରମ୍ଭ କରିଛି। ଭାରତୀୟ ତୈଳ ନିଗମ(ଆଇଓସିଏଲ୍‍) ତେଲ ଟାଙ୍କି ଆବଣ୍ଟନବେଳେ ଅନିୟମିତତା ହୋଇଥିବା ଦର୍ଶାଇ ସିବିଆଇକୁ ନିଗମ ତଦନ୍ତ ପାଇଁ ଚିଠି ଲେଖିଥିଲା। ଯାହାଫଳରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହେବା ସହ ସିବିଆଇ କ’ଣ ତଦନ୍ତ କରିବ ତାକୁ ନେଇ ଭିନ୍ନ ଭିନ୍ନ ତର୍ଜମା ଆରମ୍ଭ ହୋଇଛି। ତେଲଟାଙ୍କି ଆବଣ୍ଟନ ଏବଂ ପରିଚାଳନାରେ ଅନିୟମିତତାକୁ ନେଇ ସିବିଆଇ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି। ଆଇଓସିଏଲରୁ ଟିଟୋ ପତ୍ନୀ ଲିଜ୍‍ରେ ଏକ ପେଟ୍ରୋଲ ପମ୍ପ ନେଇଥିବା କଥା ପଦାକୁ ଆସିଛି। ସେହିପରି ଭୁବନେଶ୍ୱରର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନରେ ଟିଟୋର ପିଲାମାନେ ପଢୁଥିବା ଜଣାପଡିଛି।
ପ୍ରକାଶ ଯେ ତେଲଟାଙ୍କି ପାଇଁ ସରକାରୀ ଜମିକୁ ଜବରଦଖଲ କରାଯାଇଥିବା କୁହାଯାଉଛି। ତେଣୁ କାହା ଇଙ୍ଗିତରେ ଏହି ଜବରଦଖଲ କରାଯାଇଛି ତାକୁ ସିବିଆଇ ଖୋଳତାଡ଼ କରିବା ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ କାର୍ଯ୍ୟକଳାପ ନେଇ ସମସ୍ତେ ଅବଗତ ଥିବାବେଳେ କେମିତି ଓ କେଉଁ ଆଧାରରେ ତାକୁ ପେଟ୍ରୋଲ ପମ୍ପ ଆଲଟମେଣ୍ଟ ଦିଆଗଲା ସେନେଇ ସିବିଆଇ ଏକ ରିପୋର୍ଟ ପ୍ରସ୍ତୁତ କରିବ। ସରକାରୀ ଜମିକୁ କାହା ସହଯୋଗରେ ଟିଟୋ ନେଇଥିଲା ? ପାରାଦ୍ୱୀପ ପୋର୍ଟ ଭିତରେ ଥିବା ଆଇଓସିଏଲ୍‍ର ତେଲ ଟାଙ୍କିକୁ ଟିଟୋ କେମିତି ଲିଜ୍‍ରେ ପାଇଥିଲା, ସେସବୁର ତଦନ୍ତ କରାଯିବ ବୋଲି ଜଣାପଡିଛି। କେଉଁ ନେତା, ମନ୍ତ୍ରୀ ଓ ବ୍ୟବସାୟୀଙ୍କ ଚାପରେ ଟିଟୋର ପତ୍ନୀ ବେନଜିରକୁ ଏହା ଦିଆଯାଇଥିଲା ତଦନ୍ତ ଫଳରେ ସେମାନଙ୍କ ମୁଖା ଖୋଲିଯିବ ବୋଲି ସାଧାରଣରେ ଆଲୋଚନା ଚାଲିଛି।
ପ୍ରକାଶ ଯେ ଟିଟୋର କେନ୍ଦ୍ରାପଡା ବଡ଼ବଜାରସ୍ଥିତ ତେଲଟାଙ୍କି ମେସର୍ସ ସୟଦ ବ୍ରଦର୍ସ ନାମରେ ରହିଛି। ଯାହାର ମାଲିକ ଟିଟୋ ପତ୍ନୀ ବେନଜିର ବୋଲି ଜଣାପଡିଛି। ତେବେ ବେନଜିରଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା କଥା ତାଙ୍କ ଆଇନଜୀବୀ ସଫେଇରେ କହିଛନ୍ତି। ସେହିପରି ପାରାଦ୍ୱୀପ ତେଲଟାଙ୍କିର ମାଲିକ ଆଇଓସିଏଲ୍‍ । ଟିଟୋର ପତ୍ନୀ ଜଣେ ଅଭିଜ୍ଞ ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ଉକ୍ତ ଟାଙ୍କି ଲିଜ୍‍ରେ ପରିଚାଳନା ପାଇଁ ଦିଆଯାଇଥିଲା। ପାରାଦ୍ୱୀପ ପୋର୍ଟ ଭିତରେ ଥିବା ତେଲଟାଙ୍କି ଲିଜ୍‍ରେ ନେବା ପାଇଁ ବେନଜିର ଏକମାତ୍ର ମହିଳା ଆବେଦନକାରୀ ଥିଲେ। ଟିଟୋର ପୂର୍ବରୁ ତେଲ ଟାଙ୍କି ଥିବାରୁ ସେହି ଅଭିଜ୍ଞତା ଭିତ୍ତିରେ ସେ ଏହି ବ୍ୟବସାୟ ପାଇଥିବା ଆଇନଜୀବୀ କହିଛନ୍ତି।

error: Thank You Keep Visiting