ସାଇକକେଲ ପମ୍ପରେ ବନ୍ଧ୍ୟାକରଣ; କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଅରାଜି

Straight to the Point

ନୂଆଦିଲ୍ଲୀ: ଅନୁଗୁଳ ଜିଲା ବଅଁରପାଳରେ ସାଇକଲ ପମ୍ପ ମାଧ୍ୟମରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଘଟଣାରେ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଅମଙ୍ଗ ହୋଇଛନ୍ତି। ପୀଡ଼ିତ ୫୬ ଜଣ ମହିଳା କୌଣସି ଅଭିଯୋଗ କରିନଥିବାରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗଙ୍କୁ ରାଜ୍ୟ ମୁଖ୍ୟ ସଚିବ ଜଣାଇଛନ୍ତି। ପୀଡ଼ିତ ମହିଳାଙ୍କୁ କ୍ଷତିପୂରଣ ବାବଦକୁ ପଚିଶ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବାକୁ ଏନଏଚଆରସିଙ୍କ ପୂର୍ବ ନିର୍ଦେଶ ପୁନଃ ବିଚାର କରିବାକୁ ରାଜ୍ୟ ମୁଖ୍ୟ ସଚିବ ଅନୁରୋଧ କରିଥିଲେ।

ଗତ ୨୮ ନଭେମ୍ବର ୨୦୧୪ରେ ଅନୁଗୁଳ ଜିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରିବାର ନିୟନ୍ତଣ କାର୍ଯ୍ୟକ୍ରମ ଅନୁଯାୟୀ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୬ଜଣ ମହିଳାଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ସେଥିରେ ଜିଲାର ୫୩ ଜଣ ଏବଂ ଅନ୍ୟ ଜିଲାର ତିନି ଜଣ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ବେଳେ ଆବଶ୍ୟକୀୟ ସର୍ଜିକାଲ ଯନ୍ତ୍ରପାତି ବ୍ୟବହାର କରାଯାଇନଥିଲା। ସାଧାରଣତଃ ଲାପରୋସ୍କୋପିକ ଅପରେସନ ବେଳେ ମହିଳାଙ୍କ ଗର୍ଭାଶୟରେ ଗ୍ୟାସଚାପ ବଜାୟ ରଖିବା ପାଇଁ ଇନ୍‍ସୁଫ୍ଲାଟର ବ୍ୟବହାର କରାଯାଏ। ବଅଁରପାଳ ବନ୍ଧ୍ୟାକରଣ ଶିବିରରେ ଇନ୍‍ସୁଫ୍ଲାଟର ପରିବର୍ତ୍ତେ ଉପସ୍ଥିତ ଡାକ୍ତରୀ ଦଳ ବାଇ-ସାଇକଲ ପମ୍ପ ବ୍ୟବହାର କରି କାମ ତୁଲାଇ ଦେଇଥିଲେ। ଡାକ୍ତରୀ ନିୟମାବଳୀର ଉଲ୍ଲଂଘନ କରି ବନ୍ଧ୍ୟାକରଣ ଯୋଜନାରେ ଗ୍ରାମାଞ୍ଚଳର ମହିଳାଙ୍କୁ ଅମାନବୀୟ ଢ଼ଙ୍ଗରେ ଅସ୍ତ୍ରୋପଚାର କରାଯାଉଛି ବୋଲି ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ପରେ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜବାବରେ ଦର୍ଶାଯାଇଥିଲା ଯେ ଅସ୍ତ୍ରୋପଚାର କରାଯାଇଥିବା ସମସ୍ତ ମହିଳା ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି, ସେମାନେ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ କରୁନାହାନ୍ତି। ଏପରିକି ଅସ୍ତ୍ରୋପଚାର ପରେ ସଂପୃକ୍ତ ମହିଳାମାନେ କୌଣସି ଅଭିଯୋଗ କରିନାହାନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ମହିଳାଙ୍କ ତରଫରୁ କୌଣସି ଅଭିଯୋଗ କରାନଯିବା ଆଳରେ ଇନସୁଫ୍ଲାଟର ପରିବର୍ତ୍ତେ ବାଇ-ସାଇକଲ ପମ୍ପ ବ୍ୟବହାର ଘଟଣାରେ ଦୋଷୀ ଡାକ୍ତରଙ୍କୁ ଖସାଇ ଦେବା ପାଇଁ ସରକାରୀ ସ୍ତରର ଉଦ୍ୟମକୁ ଅଭିଯୋଗକରି ଶ୍ରୀ ତିପାଠୀ ବିରୋଧ କରିଥିଲେ। ସମସ୍ତ ଘଟଣାକ୍ରମ ପାଇଁ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ଦାୟୀ କରି ୧୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ।

error: Thank You Keep Visiting