ଯାଞ୍ଚ ହେବ ବିଦ୍ୟାଳୟ ନିରାପତ୍ତା ବ୍ୟବସ୍ଥା
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟରେ ସୁରକ୍ଷା ନିୟମ ପାଳନ ଲାଗି ରାଜ୍ୟ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓପେପା) ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟ ନିରାପତ୍ତା କମିଟି ଗଠନ ସହ ଏ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରିବା ଏବଂ ସୁରକ୍ଷା ନିୟମ ପାଳନ ଦିଗରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାନ୍ଥ ପଡି କିମ୍ବା ପୋଖରୀରେ ବୁଡି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟୁଛି। ନିକଟରେ ଭଦ୍ରକ ଜିଲାରେ ଏକ ବିଦ୍ୟାଳୟର କାନ୍ଥ ଭୁଶୁଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଓପେପା ପକ୍ଷରୁ ବିଦ୍ୟାଳୟ ସୁରକ୍ଷା ନିୟମ ପାଳନ କରିବା ସହ ବିପଦସଂକୁଳ ସ୍ଥାନ ଚିହ୍ନଟ ଏବଂ ମରାମତି ଲାଗି ନିର୍ଦେଶ ଦିଆଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବା ଲାଗି ମଧ୍ୟ ସମସ୍ତ ବିଦ୍ୟାଳୟକୁ ନିର୍ଦେଶ ଦିଆଯାଇଥିଲା। ଏ ସମ୍ପର୍କରେ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି ଯେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା)ନିୟମାବଳୀ ପାଳନ ଲାଗି ସମସ୍ତ ବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି।