୧୭ ପ୍ରାଥମିକ ବିଦ୍ୟାଳୟର ପକ୍କା ଘର ନାହିଁ

Straight to the Point

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଛି, କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ବିଦ୍ୟାଳୟ ଘର ଏବେ ବିନା କୋଠାରେ ଚାଲିଛି। ଏଭଳି ସ୍କୁଲ ରହିଛି ଭଦ୍ରକ ଜିଲାରେ। ଜିଲା ଏକୀକୃତ ଶିକ୍ଷା ସୂଚନା ବ୍ୟବସ୍ଥା(ୟୁଡାଇସ) ଜରିଆରେ ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି। ଏହି ଜିଲାର ତିହିଡ଼ି ବ୍ଳକର ବିଲଣା ପ୍ରାଥମିକ ବିଦ୍ୟାଳୟ ୧୯୦୦ମସିହାରେ ପ୍ରତିଷ୍ଠା ହୋଇଥିଲା। ଏଠାରେ ଏବେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଚାଲିଥିବା ପ୍ରାଥମିକ ବିଦ୍ୟାଳୟରେ ୩୪ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ହେଲେ ୧୧୮ ବର୍ଷର ବିଦ୍ୟାଳୟରେ କୋଠାଘରଟିଏ ନାହିଁ।
ଅନୁରୂପ ଭାବେ ୧୯୪୮ରେ ସ୍ଥାପିତ ପୁରୀ ଡ଼େଲାଙ୍ଗ ବ୍ଳକର ଟାଙ୍ଗି ଭଁସର ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ୧୯୭୨ରେ ସ୍ଥାପିତ ବରଗଡ଼ ଜିଲା ଭଟଲି ବ୍ଲକର ରାସଲି ପ୍ରାଥମିକ ବିଦ୍ୟାଳୟ, ୧୯୮୮ରେ ଭଦ୍ରକ ତିହିଡ଼ି ବ୍ଳକ ତାଳପଦା ହରିଜନ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବିନା କୋଠାଘରେ ଚାଲିଛି। ପୁରୀ ଜିଲାରେ ୯ଟି, ଭଦ୍ରକରେ ୬ଟି, ବରଗଡ଼ ଓ ମୟୂରଭଞ୍ଜରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ବିନା କୋଠାଘରେ ଚାଲିଥିବା ଜଣାପଡ଼ିଛି। ଏସବୁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ରାଜ୍ୟର ୧୭ଟି ବିଦ୍ୟାଳୟରେ ଆଦୌ କୋଠାଘର ନାହିଁ। ୧୪୪୭ଟି ବିଦ୍ୟାଳୟରେ ଥିବା କୋଠା ଭଙ୍ଗାଦଦରା ଅବସ୍ଥାରେ ଅଛି। ୟୁଡାଇସ ପକ୍ଷରୁ ମିଳିଥିବା ତଥ୍ୟ ବ୍ୟତୀତ ଆହୁରି ଅଧିକ ବିଦ୍ୟାଳୟ ଭଙ୍ଗା ଦଦରା ଅବସ୍ଥାରେ ଥିବାର ସମ୍ଭାବନା ରହିଛି। ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରି ଚୂଡ଼ାନ୍ତ ରିପୋର୍ଟ ପଠାଇବା ନିମନ୍ତେ ଓପେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ସବୁ ଜିଲାର ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦେଶ ଦେଇଛନ୍ତି।

error: Thank You Keep Visiting